Categories: ଖେଳ

ଫ୍ରେଞ୍ଚ ଓପନ ଫାଇନାଲରେ ହାରିଲେ ସ୍ବସ୍ତିକ-ଚିରାଗ

ପ୍ୟାରିସ୍‌,୨୮।୧୦- ଭାରତୀୟ ପୁରୁଷ ଡବଲ୍ସ ଖେଳାଳି ସ୍ବସ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡ଼ିକୁ ଏଠାରେ ଚାଲିଥିବା ଫ୍ରେଞ୍ଚ ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଉପବିଜେତା ଭାବେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ସେମାନଙ୍କୁ ଟପ୍‌ ସିଡ୍‌ ଇଣ୍ଡୋନେସିଆର ମାର୍କସ ଫର୍ନାଲ୍ଡି ଗିଡେନ ଓ କେଭିନ ସଞ୍ଜୟ ସୁକାମୁଲଜୋଙ୍କ ଯୋଡ଼ି ହରାଇ ଫ୍ରେଞ୍ଚ ଓପନ ଟାଇଟଲ ଜିତିଛନ୍ତି। ଭାରତୀୟ ଖେଳାଳି ସ୍ବସ୍ତିକ ଓ ଚିରାଗଙ୍କ ଯୋଡ଼ି ୧୮-୨୧, ୧୬-୨୧ ଗେମ୍‌ରେ ପରାସ୍ତ ହୋଇଥିଲେ। ପ୍ରତିପକ୍ଷ ମାର୍କସ ଓ କେଭିନ ଗତ ୧୨୧ ସପ୍ତାହ ହେଲା ପୁରୁଷ ଡବଲ୍ସ ବର୍ଗର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଚଳିତ ବର୍ଷ ଇଣ୍ଡୋନେସିଆ ଯୋଡ଼ିର ଏହା ୭ମ ଟାଇଟଲ। ଥାଇଲାଣ୍ଡ ଓପନ ସୁପର ୫୦୦ ଟୁର୍ନାମେଣ୍ଟ ଜିତିଥିବା ସ୍ବସ୍ତିକ ଓ ଚିରାଗଙ୍କ ଯୋଡ଼ି ଫାଇନାଲରେ ମାତ୍ର ୩୫ ମିନିଟ୍‌ ତିଷ୍ଠି ପାରିଥିଲେ। ୩୬ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ଯୋଡ଼ି ସୁପର ୭୫୦ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଥିଲା। ଏମାନଙ୍କ ପୂର୍ବରୁ ଶେଷ ଥର ଲାଗି ପାର୍ଥୋ ଗାଙ୍ଗୁଲି ଓ ବିକ୍ରମ ସିଂ ୧୯୮୩ ଫ୍ରେଞ୍ଚ ଓପନ ଜିତିଥିଲେ। ସିଙ୍ଗଲ୍ସରେ ଏଠାରେ କିଡାମ୍ବି ଶ୍ରୀକାନ୍ତ ୨୦୧୭ରେ ପୁରୁଷ ସିଙ୍ଗିଲ୍ସ ଟାଇଟଲ ଜିତିଥିବାବେଳେ ସାଇନା ନେହ୍ବାଲ ୨୦୧୨ ସଂସ୍କରଣରେ ମହିଳା ସିଙ୍ଗଲ୍ସ ବର୍ଗର ଉପବିଜେତା ହୋଇ ରହିଥିଲେ।

Share