ଫ୍ଲାଏ ଓଭରରେ ଆପ୍ରୋଚ ରୋଡ୍‌ ୬ ଇଞ୍ଚ ଦବିଯିବା ଘଟଣା: ଠିକା ସଂସ୍ଥା କଲା ମରାମତି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ହାଇଟେକ ଛକ ନିକଟସ୍ଥ କଟକ-ପୁରୀ ବାଇପାସ୍‌ ପ୍ଲାଏ ଓଭରବ୍ରିଜ୍‌ର ଆପ୍ରୋଚ୍‌ ରୋଡ୍‌ ରବିବାର ୬ଇଞ୍ଚ ଦବି ଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୋମବାର ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ ସେହି ସ୍ଥାନକୁ ମରାମତି କରାଯାଇଛି। ପୂର୍ବାହ୍ନରୁ କାମ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। ପୂର୍ତ୍ତ ବିଭାଗ ଏବଂ ଏନ୍‌ଏଚ୍‌ଏଆଇର ଅଧିକାରୀମାନେ ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ଠିକାସଂସ୍ଥାର ଜଣେ ଅଧିକାରୀଙ୍କ ତତ୍ତ୍ୱାବଧାନରେ ମରାମତି କାମ ଆରମ୍ଭ ହୋଇଥିଲା। ଦବିଥିବା ସ୍ଥାନରେ ପକାଯାଇଥିବା ବାଲିବସ୍ତାଗୁଡ଼ିକୁ ପ୍ରଥମେ କଢାଯାଇଥିଲା। ପରେ ସେହି ସ୍ଥାନକୁ ସଫା କରାଯିବା ସହ ପିଚୁ ଓ ଚିପ୍ସ ପକାଯାଇ ରୋଲର ଦ୍ୱାରା ଚପାଯାଇଥିଲା। ମରାମତି ହୋଇଥିଲେ ମଧ୍ୟ ଦବିଥିବା ସ୍ଥାନ ନିକଟ ବାଡ଼ା (ବ୍ରିଜ୍‌ ଓ୍ବାଲ୍‌)ରେ ଫାଟ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ମରାମତି ସମୟରେ ଯେପରି ଟ୍ରାଫିକ ସମସ୍ୟା ସହ କୌଣସି ଦୁର୍ଘଟଣା ନ ଘଟିବ ସେଥିଲାଗି ପୋଲିସ ମୁତୟନ ରହି ଉକ୍ତ ସ୍ଥାନକୁ କର୍ଡନ କରି ରଖିଥିଲେ। ରବିବାର ସନ୍ଧ୍ୟାରୁ ମରାମତି ଶେଷ ହେବା ପର୍ଯ୍ୟନ୍ତ ପୋଲିସ ଉକ୍ତ ସ୍ଥାନକୁ କର୍ଡନ କରି ରଖିଥିଲା। ସ୍ଥାନୀୟ ପଳାଶୁଣି ଗ୍ରାମର ସନ୍ତୋଷ ସାସମଲ କହିଛନ୍ତି, ରଥଯାତ୍ରା ପୂର୍ବରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବ୍ରିଜ୍‌ର ବିଭିନ୍ନ ସ୍ଥାନରେ ୪ଥର ଦବିଲାଣି। ଏ ନେଇ ଆମେ ଠିକା ସଂସ୍ଥାକୁ ଜଣାଇଥିଲେ ମଧ୍ୟ କିଛି ଶୁଣୁନାହିଁ। ଆଗକୁ ଯଦି ପୁଣି ଆପ୍ରୋଚ୍‌ ରୋଡ୍‌ ଦବିବ ତାହାଲେ ଆମେ ରାସ୍ତାରୋକୋ ଭଳି ବଡ ଆନ୍ଦୋଳନ କରିବୁ। ଏ ନେଇ ଠିକା ସଂସ୍ଥାର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ଏହି ସ୍ଥାନ ଦବି ଯାଇଛି। ଏହା ଫ୍ଲାଏ ଓଭରବ୍ରିଜ୍‌ର କିଛି କ୍ଷତି ଘଟାଇବ ନାହିଁ। ବ୍ରିଜ୍‌ଟି ଗୋଟିଏ ଗୋଟିଏ ପ୍ଲେଟ୍‌ରେ ନିର୍ମାଣ ହୋଇଥିବାବେଳେ ଆପ୍ରୋଚ ରୋଡ୍‌ର କିଛି ଅଂଶ ଦବିଛି। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ। ତେବେ ବ୍ରିଜ୍‌ ନିର୍ମାଣ ପାଇଁ ଆମକୁ ଯଥେଷ୍ଟ ସମୟ ମିଳି ନ ଥିଲା। ଧାର୍ଯ୍ୟ ସମୟ ପୂର୍ବରୁ ତୁରନ୍ତ କାମ ସାରିବା ଲାଗି ଠିକା ସଂସ୍ଥାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।
ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ ଏକ ଭାରିଯାନ ହାଇଟେକ୍‌ ଛକ ନିକଟସ୍ଥ କଟକ-ପୁରୀ ବାଇପାସ ଫ୍ଲାଏଓଭର ଦେଇ ଯିବା ସମୟରେ ତାହା ଦବି ଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ହୋ ହଲ୍ଲା କରିଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୋଲିସ ପହଞ୍ଚି ସେହି ସ୍ଥାନକୁ କର୍ଡନ କରିଥିଲା। ଦବିଥିବା ସ୍ଥାନରେ ବାଲିବସ୍ତା ପକାଯାଇଥିଲା। ଆଲୋକ ବ୍ୟବସ୍ଥା ସହ ଓଡ୍ରାଫ ଟିମ୍‌ ରାତିସାରା ଜଗି ରହିଥିଲେ।

Share