Categories: ଜାତୀୟ

ଫ୍ଲୋର ଟେଷ୍ଟ ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କରୋନା ଟେଷ୍ଟ!

ଭୋପାଳ,୧୫।୩: ମଧ୍ୟପ୍ରଦେଶର କମଳନାଥ ସରକାର ସୋମବାର ଫ୍ଲୋର ଟେଷ୍ଟ ଦେବେ ବୋଲି ରାଜ୍ୟପାଳ ଲାଲାଜି ଟଣ୍ଡନ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହା ପୂର୍ବରୁ ମଧ୍ୟପ୍ରଦେଶର ସମସ୍ତ ବିଧାୟକଙ୍କର କରୋନା ଭାଇରସ ଟେଷ୍ଟ କରାଯିବ ବୋଲି ଜଣାପଡିଛି। ମଧ୍ୟପ୍ରଦେଶ ରାଜନୀତିରେ ଆରମ୍ଭ ହୋଇଥିବା ରାଜନୈତିକ ଡ୍ରାମା ଏବେ ଚର୍ଚ୍ଚାରେ ଥିବା ବେଳେ ଜୟପୁରରେ ଥିବା ବିଧାୟକମାନେ ରବିବାର ଭୋପାଳ ପହଞ୍ଚିଛନ୍ତି। ଏମାନଙ୍କୁ କଡା ସୁରକ୍ଷାରେ ହୋଟେଲକୁ ଅଣାଯାଇଛି। ଇତିମଧ୍ୟରେ କମଲନାଥ ସରକାରଙ୍କର ବଲ୍ଲଭ ଭବନରେ ଆୟୋଜିତ ବୈଠକରେ ଆଲୋଚନା କରାଯାଇଛି କି ଦେଶରେ କରୋନା ଭାଇରସର ଭୟାବହତାକୁ ଦେଖି ଏବେ ମଧ୍ୟପ୍ରଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯିବ। କେବଳ ସେତିକି ନୁହେଁ ଜୟପୁରରୁ ଫେରିଥିବା ଓ ରାଜ୍ୟରେ ଥିବା ସମସ୍ତ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ ବୋଲି ସ୍ଥିର କରାଯାଇଥିବା କୁହାଯାଉଛି। କେହି କେହି କହୁଛନ୍ତି ଯେଉଁ ବିଧାୟକମାନେ ବାହାରେ ରହି ଫେରିଛନ୍ତି ସେମାନେ କାହା କାହା ସମ୍ପର୍କରେ ଆସିଛନ୍ତି ତାହା ଜଣା ନ ଥିବାରୁ ସେମାନଙ୍କର କରୋନା ଟେଷ୍ଟ ହେବା ଜରୁରୀ।

Share