Categories: ଖେଳ

ଫ୍ୟାକ୍ଟ୍ରି ମାଲିକଙ୍କୁ ପିଟି ପୂର୍ବତନ କ୍ରିକେଟର ହଟହଟା

ମେରଟ,୧୫।୧୨- ଏକ ଫ୍ୟାକ୍ଟ୍ରି ମାଲିକଙ୍କୁ ପିଟିବା କାରଣରୁ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ପ୍ରବୀଣ କୁମାର ହଟହଟା ହୋଇଛନ୍ତି। ଏ ନେଇ ଟିପିନଗର ଥାନାରେ ଅଭିଯୋଗ ହୋଇଛି। ସ୍କୁଲ ବସରୁ ଛୁଆମାନେ ଓହ୍ଲାଉଥିବାବେଳେ କାର ପାଇଁ ରାସ୍ତା ନ ଥିବାରୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ବାଇକରେ ବସିଥିବା ଛୁଆଙ୍କୁ ଗାଡ଼ିରୁ ଫୋପାଡ଼ି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ମୁଲତାନନଗର ବାସିନ୍ଦା ଦୀପକ ଶର୍ମାଙ୍କର ଏକ ମୂର୍ତ୍ତି ତିଆରି ଫ୍ୟାକ୍ଟ୍ରି ଅଛି। ଦୀପକଙ୍କ ଅନୁଯାୟୀ, ତାଙ୍କ ପୁଅ ଯଶବର୍ଦ୍ଧନ (୬) ଏମ୍‌ପିଏମ୍‌ ବେଦବ୍ୟାସପୁରି ସ୍କୁଲରେ ପଢ଼ନ୍ତି। ଶନିବାର ଅପରାହ୍ନ ୨.୪୦ରେ ଯଶବର୍ଦ୍ଧନ ସ୍କୁଲ ବସରୁ ଓହ୍ଲାଉଥିବାବେଳେ ପୂର୍ବତନ କ୍ରିକେଟରଙ୍କ ଗାଡ଼ି ସେହି ରାସ୍ତା ଦେଇ ଯାଇପାରି ନ ଥିଲା। ଏଥିନେଇ ପ୍ରବୀଣ ଓ ଦୀପକଙ୍କ ମଧ୍ୟରେ ବଚସା ହୋଇଥିଲା। ଯାହାକୁ ନେଇ ପ୍ରବୀଣ ମାରପିଟ କରିଥିଲେ। ଏଥିଯୋଗୁ ଗାଡ଼ିରେ ବସିଥିବା ତାଙ୍କ ପୁଅ ତଳେ ପଡ଼ିଯାଇ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ମାମଲା ଶାନ୍ତ ପଡ଼ିଥିଲା। ପୀଡ଼ିତ ପରିବାର ଟିପିନଗର ଥାନାରେ ପହଞ୍ଚତ୍ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଆହତ ଦୀପକଙ୍କୁ ମେଡିକାଲ ଯାଞ୍ଚ ପାଇଁ ପଠାଇଛି। ସେ ଅଭିଯୋଗ କରିଛନ୍ତି ଯେ, ପ୍ରବୀଣ ନିଶାରେ ଏଭଳି କାଣ୍ଡ ଭିୟାଇଛନ୍ତି। ଉଲ୍ଲେଖଥାଉ କି, ପ୍ରବୀଣ ଅନ୍ତର୍ଜାତୀୟ ସ୍ତରରେ ୬୮ ଦିନିକିଆ (୭୭ ଉଇକେଟ) ଓ ୬ ଟେଷ୍ଟ (୨୭ ଉଇକେଟ) ଖେଳିଛନ୍ତି।

Share