ଫ୍ୟାଟମ୍ୟାନ୍‌ ଅଗଷ୍ଟ ୯ରେ ନାଗାସାକୀରେ ରଚିଥିଲା ମୃତ୍ୟୁର ତାଣ୍ଡବ

ନୂଆଦିଲ୍ଲୀ/ଟୋକିଓ, ୮।୮: ଜାପାନର ନାଗାସାକୀ ସହରରେ ୭୪ ବର୍ଷ ତଳେ ପରମାଣୁ ବୋମା ତାଣ୍ଡବ ରଚିଥିଲା। ୧୯୪୫ ମସିହା ଅଗଷ୍ଟ ମାସ ୯ ତାରିଖ ପୂର୍ବାହ୍ନ ୧୧ଟା ୨ ମିନିଟରେ ସହର ଉପରେ ପରମାଣୁ ବୋମା ‘ଫ୍ୟାଟମ୍ୟାନ’ ପକାଯାଇଥିଲା। ନିମିଷକ ମଧ୍ୟରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ୩ ଦିନ ତଳେ ହିରୋସୀମାରେ ହୋଇଥିବା ତାଣ୍ଡବ ଭଳି ଏଠାରେ ମଧ୍ୟ ସୃଷ୍ଟି ହୋଇଥିଲା ମୃତ୍ୟୁର ଲୀଳା । ପରମାଣୁ ବୋମାଟି ଭୂପୃଷ୍ଠ ଠାରୁ ୧୬୫୦ ଫୁଟ ଉଚ୍ଚରୁ ସହର ଉପରେ ପଡିଥିଲା। ଏଥିରେ ୬୦ ରୁ ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ନାଗାସାକୀ ଜାପାନର ଶିପ୍‌ ବିଲଡିଙ୍ଗ୍‌ ସେଣ୍ଟର ଭାବେ ବିଶ୍ୱରେ ବେଶ୍‌ ଜଣାଶୁଣା ଥିଲା। ଏହି ସହର ଉପରେ ବୋମା ପଡିବା ପରେ ଜାପାନ ଆମେରିକା ମିଳିତ ବାହିନୀ ଆଗରେ ନିସର୍ତ୍ତ ଶରଣ ସ୍ବୀକାର କରିଥିଲା। ଯଦି ଜାପାନ ପରାଜୟ ବରଣ କରି ନ ଥାନ୍ତା ତେବେ ଅଗଷ୍ଟ ୧୭ କିମ୍ବା ୧୮ ତାରିଖରେ ପୁଣି ଏକ ପରମାଣୁ ବୋମା ଜାପାନରେ ପକାଯିବାର ଯୋଜନା ଆମେରିକା ପକ୍ଷରୁ କରାଯାଇଥିଲା। ଏହି ଯୁଦ୍ଧରେ ୧୨ ଜାପାନ ସହର ଉପରେ ବୋମାବର୍ଷଣ କରିବାରେ ଯୋଜନା ଥିଲା। ତେବେ ଜାପାନ ଶରଣ ନେବା ପରେ ଆଉ ଏହାର ଅବାଶ୍ୟକତା ପଡି ନ ଥିଲା। ଅଗଷ୍ଟ ୧୫ ତାରିଖରେ ଜାପାନ ଯୁଦ୍ଧ ସନ୍ଧିରେ ସ୍ବାକ୍ଷର କରିଥିଲା। ବୋମା ଦ୍ୱାରା ସୃଷ୍ଟି ହୋଇଥିବା ଉଚ୍ଚ ତାପମାତ୍ରା ଯୋଗୁ ଅଧିକାଂଶ ଲୋକଙ୍କ ଆଖିଡ଼ୋଳା ପଦାକୁ ବାହାରି ଆସି ବିଭତ୍ସ ପରିବେଶ ସୃଷ୍ଟି କରିଥିଲା। ଚର୍ମ ଓହଳି ପଡ଼ିଥିଲା। ବିଂଶ ଶତାବ୍ଦୀର ଏହି ଲୋମହର୍ଷଣକାରୀ ଘଟଣା ପାଇଁ ଦାୟୀ ପରମାଣୁ ବୋମାକୁ ସେତେବେଳର ବୈଜ୍ଞାନିକମାନେ ଅତି ଚତୁରତାର ସହିତ ଲୁଚାଛପାଭାବେ ପ୍ରସ୍ତୁତ କରିଥିଲେ। ନାଗାସାକୀ ଉପରେ ପକାଯାଇଥିବା ବୋମାର ଶକ୍ତି ଥିଲା ୨୨ କିଲୋଟନ।

Share