ଫ୍ୟାନ୍‌ଙ୍କୁ ଦିଓ୍ବାନା କଲା ଶ୍ରଦ୍ଧାଙ୍କ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ନିକଟରେ ସର୍ବିୟାରୁ ନିଜ ଅପ୍‌କମିଂ ଫିଲ୍ମ ‘ବାଗୀ-୩’ର ଶୁଟିଂ ଶେଷ କରି ଫେରିଛନ୍ତି। ଏହାପରେ ସେ ତୁରନ୍ତ ନିଜର ଦ୍ୱିତୀୟ ଅପ୍‌କମିଂ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ର ପ୍ରମୋଶନରେ ବ୍ୟସ୍ତ ହୋଇଗଲେଣି। ଫିଲ୍ମ ‘ବାଗୀ-୩’ରେ ଟାଇଗର ଶ୍ରଫ୍‌ଙ୍କ ସହ ଶ୍ରଦ୍ଧା ନଜରକୁ ଆସିବାକୁ ଥିବାବେଳେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ତାଙ୍କୁ ବରୁଣ ଧାଓ୍ବନ୍‌ଙ୍କ ସହ ଦେଖିବାକୁ ମିଳିବ। ଫିଲ୍ମ ରିଲିଜ୍‌କୁ ନେଇ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ର ପୂରା ଟିମ୍‌ ଏବେ ପ୍ରମୋଶନରେ ଲାଗିପଡ଼ିଛି। ଏନେଇ ବରୁଣ ଏବଂ ନିର୍ଦ୍ଦେଶକ ରେମୋ ଡି’ସୁଜାଙ୍କ ସହ ଶ୍ରଦ୍ଧା ଏକ ରିୟାଲିଟି ଶୋ’କୁ ଫିଲ୍ମ ପ୍ରମୋଶନ ଲାଗି ଯାଇଥିଲେ। ଏହି ଅବସରରେ ସେ ଏକ ସିଲ୍‌ଭର ଷ୍ଟ୍ରେପ୍‌ଲେସ୍‌ ଡ୍ରେସ୍‌ ସହ ବ୍ଲାକ୍‌ ଶୁଜ୍‌ ପିନ୍ଧିଥିଲେ। ଏହି ଲୁକ୍‌ରେ ସେ କିଛି ଫଟୋ ନିଜ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ଶେୟାର କରିଥିଲେ। ତେବେ ଶ୍ରଦ୍ଧାଙ୍କ ଏହି ସିଜ୍‌ଲିଂ ଅବତାର ଦେଖି ଫ୍ୟାନ୍‌ମାନେ ନିଜର ଭଲପାଇବା ଅଜାଡ଼ି ଦେଉଛନ୍ତି। ସୋସିଆଲ୍‌ ମିଡିଆରେ ଶ୍ରଦ୍ଧାଙ୍କ ଏହି ଲୁକ୍‌କୁ ବେଶ୍‌ ପସନ୍ଦ କରାଯିବା ସହ ହଜାର ହଜାର ଲାଇକ୍‌, ଶେୟାର, କମେଣ୍ଟ ସାଙ୍ଗକୁ ଲକ୍ଷାଧିକ ଭିୟୁ ମିଳିଚାଲିଛି। ଅନ୍ୟପକ୍ଷରେ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ଶ୍ରଦ୍ଧାଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା, ନୋରା ଫତେହି, ଶକ୍ତି ମୋହନ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ଫିଲ୍ମଟି ୨୦୨୦ ଜାନୁୟାରୀ ୨୪ରେ ରିଲିଜ୍‌ ହେବ। ସେହିପରି ଶ୍ରଦ୍ଧାଙ୍କ ଫିଲ୍ମ ‘ବାଗୀ-୩’ ୨୦୨୦ ମାର୍ଚ୍ଚ ୬ରେ ରିଲିଜ୍‌ ହେବ।

Share