ବଂଶଧାରା ଜଳ ବିବାଦର ଯୁଗ୍ମ ସର୍ଭେକୁ ଓଡ଼ିଶାର ନା: ୩ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କେନ୍ଦ୍ର, ଆନ୍ଧ୍ରକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ଦ୍ୱାରା ବଂଶଧାରା ନଦୀ ଉପରେ ନିର୍ମାଣ ହେଉଥିବା ନେରାଡି ବ୍ୟାରେଜର ମିଳିତ ସର୍ଭେ ନ କରିବାକୁ ଓଡ଼ିଶା ସରକାର କରିଥିବା ଆବେଦନର ଶୁଣାଣି କରିଛନ୍ତି ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍‌। ମଙ୍ଗଳବାର ଜଷ୍ଟିସ ଏମ.କେ ଶର୍ମା, ଜଷ୍ଟିସ ବି.ଏନ ଚତୁର୍ବେଦୀ ଏବଂ ଜଷ୍ଟିସ ପ୍ରତିଭା ରାଣୀଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଓଡ଼ିଶା ସରକାରଙ୍କ ଆବେଦନର ଶୁଣାଣି ଆସନ୍ତା ୩ସପ୍ତାହ ମଧ୍ୟରେ ଜବାବ ରଖିବାକୁ ଉଭୟ ଆନ୍ଧ୍ରପ୍ରଦେଶ ସରକାର ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କ ଜବାବ ଦାଖଲ କରିବାର ୨ସପ୍ତାହ ମଧ୍ୟରେ ଓଡ଼ିଶା ମଧ୍ୟ ଏହା ଉପରେ ପ୍ରତିଉତ୍ତର ରଖିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣିକୁ ଅଗଷ୍ଟ ୨୭କୁ ଧାର୍ଯ୍ୟ କରିଛନ୍ତି। ନେରାଡି ବ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ୧୦୬ଏକର ଜମିରେ ପାଣି ମାଡ଼ିଯିବା ସମ୍ପର୍କରେ ଏକ ମିଳିତ ସର୍ଭେ କରି ଜୁଲାଇ ୮ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ସରକାରଙ୍କୁ ପୂର୍ବରୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଓଡ଼ିଶା ସରକାର ଏହାକୁ ବିରୋଧ କରିବା ସହିତ ଡ୍ୟାମ୍‌ ଦ୍ୱାରା ୩ କିଲୋମିଟର ଯାଏ ପାଣି ମାଡ଼ିବା ଓ ୧୦୬ ଏକର ଜମି ପାଣିରେ ବୁଡିବା ନେଇ ଆନ୍ଧ୍ର ସରକାର ସମ୍ପୂର୍ଣ୍ଣ ରିପୋର୍ଟ ଦିଅନ୍ତୁ ଦାବି କରିଥିଲେ। ଏପରି କି ଟ୍ରବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶକୁ ପରିବର୍ତ୍ତନ କରିବାକୁ ମଧ୍ୟ ଓଡ଼ିଶା ସରକାର ଊଲ୍ଲେଖ କରିଥିଲେ।

Share