Categories: ଅନୁଗୋଳ

ବଅଁରପାଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: କ୍ଲବ, ଭଡ଼ା ଘରେ ଚାଲିଛି ଡାକ୍ତରଖାନା

ବଅଁରପାଳ, ୨୮।୬(ଡି.ଏନ.ଏ.)- ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଏହାର ଭିନ୍ନଚିତ୍ର ନଜରକୁ ଆସିଛି। ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଏହା ଅଧୀନରେ ଥିବା ଉପ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକ ପାଇଁ ସ୍ଥାୟୀ ଘର ନ ଥିବା ବେଳେ ବିଭିନ୍ନ କ୍ଲବ ଓ ଭଡ଼ା ଘରେ ଚିକିତ୍ସା ସେବା ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୨୬ଟି ଉପସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୧୯ କେନ୍ଦ୍ରର ସ୍ଥାୟୀ ଗୃହ ନାହିଁ। ଫଳରେ ଏହି କେନ୍ଦ୍ରଗୁଡ଼ିକ କ୍ଲବ, ଭଡ଼ା ଘରେ କିମ୍ବା ଅନେକ ସମୟରେ ସ୍କୁଲ ଘରେ ମଧ୍ୟ ଚାଲୁଛି। କେବଳ ନୂଆହତା, ବୁଢ଼ାପଙ୍କ, ଗଡ଼ସନ୍ତ୍ରୀ, ପିଙ୍ଗୁଆ, ବଳରାମପ୍ରସାଦ, ତୁଳସୀପାଳ, ଫୁଲପଡ଼ା କେନ୍ଦ୍ରର ସ୍ଥାୟୀ ଗୃହ ରହିଛି। ସେହିପରି ଜରାସିଂହା, କୁକୁଡାଙ୍ଗ, କୁଇଓ, ତୁବେ, କଞ୍ଜରା, ସାନ୍ତରାପୁର, ଗୋଳାବନ୍ଧ, କୁରୁଡ଼ୁଲୁ, କାଣ୍ଡସର, ରାଣୀଗୋଡ଼ା, କୁମଣ୍ଡ, ପରତରା, କୁଲାଡ଼, ନାଲକୋ, ବଅଁରପାଳ, ଗୋତମରା, ରଙ୍କାସିଂହା, ମହୀଧରପୁର ଓ ତଳମୂଳ ଉପସ୍ବାସ୍ଥ୍ୟ କେନ୍ଦ୍ରର ସ୍ଥାୟୀ ଘର ନାହିଁ। ସରକାରଙ୍କ ଉଦାସୀନତା ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏହି ସମସ୍ୟାରେ ସୁଧାର ଆସିପାରୁ ନ ଥିବା ଅଭିଯୋଗ ହେଉଛି। ଏଥିସହ ଆବଶ୍ୟକ ଯନ୍ତ୍ରପାତି, ଔଷଧପତ୍ର ଓ ଶଯ୍ୟା ନ ଥିବାରୁ ଲୋକମାନେ ସେବାରୁ ବଞ୍ଚିତ ହେବା ସହ ଜରୁରୀକାଳୀନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ କର୍ମଚାରୀଙ୍କ ଅଭାବ ସସମ୍ୟାକୁ ଆହୁରି ବଢାଇ ଦେଉଛି। ଶଯ୍ୟା ନ ଥିବାରୁ ଗର୍ଭବତୀମାନେ ବେଞ୍ଚ କିମ୍ବା ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି। ସେହିପରି କେନ୍ଦ୍ରଗୁଡ଼ିକୁ ଠିକ୍‌ ପରିମାଣରେ ଔଷଧ ଆସୁ ନ ଥିବା ଅଭିଯୋଗ ହେଉଛି। ଏଥିସହ ୨୬ଟି ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଲେଖାଏ ମହିଳା ଓ ପୁରୁଷ ସ୍ବାସ୍ଥ୍ୟ କର୍ମଚାରୀ ରହିବା କଥା। ମାତ୍ର ୧୬ଟି କେନ୍ଦ୍ରରେ ପୁରୁଷ ସ୍ବାସ୍ଥ୍ୟ କର୍ମଚାରୀ ନ ଥିବା ଜଣାପଡ଼ିଛି। ଏହାକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖା ଦେଇଛି।
ଏ ସମ୍ପର୍କରେ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ସ୍ବପ୍ନେଶ୍ୱର ବେହେରା କହିଛନ୍ତି, ଯେଉଁ କେନ୍ଦ୍ରର ସ୍ଥାୟୀ ଘର ନାହିଁ ସେଠାରେ ସମସ୍ୟା ଦେଖାଦେଇଛି। ମାତ୍ର ସରକାରଙ୍କ ତରଫରୁ ଧୀରେ ଧୀରେ ନୂତନ ଘର ନିର୍ମାଣ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।