ଅନୁଗୋଳ ଅଫିସ, ୧୩।୧: ଅନୁଗୋଳ ଜିଲା ବଅଁରପାଳ ପୋଲିସ ହାତରେ ଧରାପଡ଼ିଛନ୍ତି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟ। ସେମାନେ ହେଲେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲାର ଟାଟା ନୋନିଆ (୨୭), କୀର୍ତ୍ତନ ନୋନିଆ (୪୦), ଝାଡ଼ଖଣ୍ଡ ସାହେବ୍ଗଞ୍ଜ ଜିଲାର ଚନ୍ଦନ ମାଥୋ (୨୨)। ଅନ୍ୟ ଦୁଇଜଣ ନାବାଳକ। ସେମାନଙ୍କ ବୟସ ୧୨ ବର୍ଷ ମଧ୍ୟରେ ହେବ ବୋଲି ପୋଲିସ କହିଛି। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର୍, ୮ ମୋବାଇଲ, ଛୁରି, ୩୫ ହଜାର ଟଙ୍କା, ସୁନାମୁଦି ଜବତ କରାଯାଇଥିବା ଥାନାଧିକାରୀ ସୁନୀଲ କୁମାର କର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଜାନୁୟାରୀ ୧୦ ସନ୍ଧ୍ୟାରେ ତଳମୂଳ ଗ୍ରାମର ଚିତ୍ତରଞ୍ଜନ ଧଳବିଶୋଇ ମହୀଧରପୁର ଛକରୁ ଘରକୁ ଫେରୁଥିବାବେଳେ ତଳମୂଳ କଲେଜ ନିକଟରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗର ଶିକାର ହୋଇଥିଲେ। ଏ ନେଇ ଥାନାରେ ନଂ. ୧୧/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ଲୁଟେରା ଗ୍ୟାଙ୍ଗର କାର୍ଯ୍ୟକଳାପ ଉପରେ ନଜର ରଖିଥିଲା। ଏହାପରେ ସେମାନେ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଧିକ ତଥ୍ୟ ହାସଲ କରିବାକୁ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।