ବଇଣ୍ଡାକୁ ଆସିଲା ନୂତନ ୧୦୮ ଆମ୍ବୁଲାନ୍ସ

ବଇଣ୍ଡା,୧୪।୩(ଡି.ଏନ.ଏ.)

କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳକୁ ଏକ ନୂତନ ୧୦୮ ଆମ୍ବୁଲାନ୍ସ ଗୁରୁବାର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି। ଦୀର୍ଘବର୍ଷ ହେବ ଏଠାରେ ଥିବା ୧୦୮ ଆମ୍ବୁଲାନ୍ସ ଭାଙ୍ଗି ଯାଇଥିବା ବେଳେ ଡୋର୍‌ରେ ଦଉଡି ଭିଡି ସେବା ଯୋଗାଇ ଦିଆଯାଉଥିଲା। ଏ ସମ୍ପର୍କରେ ଗତ ୩ ତାରିଖରେ ଏକ ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ନୂତନ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଏଥିପାଇଁ ବଇଣ୍ଡା ଅଞ୍ଚଳବାସୀ ‘ଧରିତ୍ରୀ’କୁ କୃତଜ୍ଞତା ଜଣାଇଛନ୍ତି।
ପ୍ରକାଶ ଯେ, ଅନୁଗୋଳ ଜିଲାର କିଶୋରନଗର ଓ ଆଠମଲ୍ଲିକ ବ୍ଲକର ୧୩ଟି ପଞ୍ଚାୟତବାସୀଙ୍କୁ ଜରୁରୀ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ବହୁ ପୂର୍ବରୁ ଏକ ୧୦୮ ଆମ୍ବୁଲାନ୍ସ ପ୍ରଦାନ କରିଥିଲେ। ହେଲେ ଦୀର୍ଘଦିନ ହେଲା ଆମ୍ବୁଲାନ୍ସର ଦୁଇଟି ଡୋର୍‌, କାଚ ଭାଙ୍ଗି ଯାଇଥିଲେ ମଧ୍ୟ ତାହାକୁ ମରାମତି କରାଯାଉ ନ ଥିଲା। ଉକ୍ତ ଦଦରା ଆମ୍ବୁଲାନ୍ସ ଡୋର୍‌ରେ ଦଉଡି ଭିଡ଼ାଯାଇ ରୋଗୀ ପରିବହନ କରାଯାଉଥିଲା। ଏ ନେଇ ଗ୍ରାମବାସୀ ବହୁବାର ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନ ଥିଲା। ତେବେ ‘ଧରିତ୍ରୀ’ରେ ଖବରପ୍ରକାଶ ପରେ ପ୍ରଶାସନ ପକ୍ଷରୁ ଏକ ନୂତନ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିବାରୁ ନୁନୁକାପଶି ସରପଞ୍ଚ ଜଳଧର ସାହୁ, ଅରବିନ୍ଦ ସାହୁ, ବିଜୟ କୁମାର ସାହୁ, ରମେଶ କୁମାର ଟିବ୍ରୁଓ୍ବାଲା, ରମେଶ କୁମାର ବେହେରା, ରମାକାନ୍ତ ବେହେରା, ରାଜେନ୍ଦ୍ର ରାଉତ, ଗିରିଶଚନ୍ଦ୍ର ବେହେରା ପ୍ରମୁଖ ଜିଲା ପ୍ରଶାସନ ଓ ‘ଧରିତ୍ରୀ’କୁ କୃତଜ୍ଞତା ଜଣାଇଛନ୍ତି।

Share