ବକେୟା ଜିଏସ୍‌ଟିଆର୍‌-୧ ରିଟର୍ନ: ୧୦ ସୁଦ୍ଧା ଦାଖଲ କଲେ ହିଁ ଛାଡ଼ହେବ ବିଳମ୍ବ ଶୁଳ୍କ

କଟକ ଅଫିସ,୫।୧: ଜିଏସ୍‌ଟି ଆଇନ ପ୍ରଣୟନ ପରଠାରୁ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ବାକିଥିବା ଜିଏସ୍‌ଟିଆର୍‌-୧ ରିଟର୍ନ ଦାଖଲ ନିମନ୍ତେ ସରକାର ବିଳମ୍ବ ଶୁଳ୍କ ଛାଡ଼ କରିଛନ୍ତି। ଗତ ଜିଏସ୍‌ଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ୨୦୨୦ ଜାନୁୟାରୀ ୧୦ ମଧ୍ୟରେ ଯଦି ଏହି ବକେୟା ଜିଏସ୍‌ଟିଆର୍‌-୧ ରିଟର୍ନ ଦାଖଲ କରାଯାଏ ତେବେ ବିଳମ୍ବ ଶୁଳ୍କ ଛାଡ଼ ମିଳିବ। ତେଣୁ ଜାନୁୟାରୀ ୧୦ ସୁଦ୍ଧା ବକେୟା ଜିଏସ୍‌ଟିଆର୍‌-୧ ରିଟର୍ନ ଦାଖଲ କରି ଟିକସଦାତାମାନେ ଏହି ସୁବିଧା ହାସଲ କରିବାକୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଯେକୌଣସି ଦୁଇଟି ଟିକସ ଅବଧି (ମାସିକ କିମ୍ବା ତ୍ରୈମାସିକ) ପାଇଁ ୨୦୨୦ ଜାନୁୟାରୀ ୧୦ ପରେ ଯେଉଁ ଟିକସଦାତାମାନେ ଜିଏସ୍‌ଟିଆର୍‌-୧ ଦାଖଲ କରିବାରେ ବିଫଳ ହେବେ ସେମାନଙ୍କୁ ଇ-ୱେବିଲ୍‌ ବାହାର କରିବାର ସୁବିଧା ବନ୍ଦ କରିଦିଆଯିବ ବୋଲି ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚିତ କରାଯାଇଛି। ସମ୍ପ୍ରତି ୨୦୧୯ ଅକ୍ଟୋବର ଓ ନଭେମ୍ବର ଟିକସ ଅବଧି ପାଇଁ ଜିଏସ୍‌ଟିଆର୍‌-୩ ରିଟର୍ନ ଦାଖଲରେ ଖିଲାପ ଯୋଗୁ ୩୮,୦୨୬ ଟିକସଦାତାଙ୍କ ଇ-ୱେବିଲ୍‌ ବାହାର କରିବା ବ୍ୟବସ୍ଥା ବନ୍ଦ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୬୪୭ ଜଣ ଟିକସଦାତା ସେମାନଙ୍କ ବକେୟା ରିଟର୍ନ ଦାଖଲ କରିଛନ୍ତି ଏବଂ ତଦନୁଯାୟୀ ସେମାନଙ୍କ ଇ-ୱେବିଲ୍‌ ବାହାର କରିବାର ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରାଯାଇଛି। ନିଜ ବ୍ୟବସାୟର ସୁପରିଚାଳନା ନିମନ୍ତେ ଟିକସଦାତାମାନେ ଏହି ଏକକାଳୀନ ବିଳମ୍ବ ଶୁଳ୍କ ଛାଡ଼ ବ୍ୟବସ୍ଥାର ସୁଯୋଗ ନେବା ପାଇଁ ୨୦୧୭ ଜୁଲାଇଠାରୁ ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ବାକିଥିବା ଜିଏସ୍‌ଟିଆର୍‌-୧ ରିଟର୍ନଗୁଡ଼ିକୁ ୧୦ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।