ବକେୟା ଦରମା ଦାବିରେ ଓଏସ୍‌ଆରଟିସି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭଞ୍ଜନଗର,୧୨।୫(ଡି.ଏନ୍‌.ଏ.): ୭ ମାସର ବକେୟା ଦରମା ପ୍ରଦାନ ଦାବିରେ ଭଞ୍ଜନଗର ଓଏସ୍‌ଆରଟିସିର ଠିକା କର୍ମଚାରୀମାନେ ରବିବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଫଳରେ ଭଞ୍ଜନଗର ଜୋନ୍‌ରୁ ୧୧ଟି ରୁଟ୍‌ରେ ଚାଲୁଥିବା ସମସ୍ତ ସରକାରୀ ବସ୍‌ ସେବା ରବିବାର ସକାଳଠାରୁ ବନ୍ଦ ହୋଇଯାଇଛି । କେତେକ ରୁଟ୍‌ରେ ଘରୋଇ ବସ୍‌ ସେବା ନ ଥିବା ଯୋଗୁ ସମ୍ପୃକ୍ତ ରୁଟ୍‌ର ଯାତ୍ରୀମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହୋଇଛି ।
ପ୍ରକାଶ ଯେ, ଭଞ୍ଜନଗର ଓଏସ୍‌ଆରଟିସି ଜୋନଟି ବର୍ଷର କିଛିମାସ ଲାଭରେ ଚାଲୁଥିବା ବେଳେ ଆଉ କିଛି ମାସ କ୍ଷତିରେ ଚାଲୁଛି । ଯେଉଁ ମାସରେ କ୍ଷତି ହେଉଛି ସମ୍ପୃକ୍ତ ମାସରେ କର୍ମଚାରୀଙ୍କ ଦରମା ଦିଆଯାଇ ପାରୁନାହିଁ । ଏହିଭଳି କର୍ମଚାରୀମାନେ ୭ ମାସର ବକେୟା ଦରମା ପାଇନାହାନ୍ତି । ପୂର୍ବରୁ ମୁଖ୍ୟ କାର୍ଯ୍ୟାଳୟରୁ ଦରମା ଦେବା ବ୍ୟବସ୍ଥା ରହିଥିବା ବେଳେ ବିଗତ କିଛିମାସ ହେବ ଜୋନ୍‌ରୁ ହିଁ ଆଦାୟ ଅର୍ଥରୁ ଦରମା ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଛି। କିଛି ରୁଟ୍‌ରେ ବସ୍‌ଗୁଡ଼ିକ କ୍ଷତିରେ ଚାଲିବା ପରେ କର୍ମଚାରୀଙ୍କ ଦରମା ଦେବା ଅସମ୍ଭବ ହୋଇପଡ଼ିଛି । ଏ ନେଇ ସଂଘର ସଭାପତି ତଥା ଆଇନଜୀବୀ ବଟକୃଷ୍ଣ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନାଗ୍ରହ ଯୋଗୁ ଆଜି ଏହି ସମସ୍ୟା ଉପୁଜିଛି । ଭଞ୍ଜନଗର ଡିଟିଏମ୍‌ ଧୀରେନ କୁମାର ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତ ସମସ୍ୟା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି ।