Categories: ଖେଳ

ବକ୍ସର ମନୀଷଙ୍କୁ ଅଲିମ୍ପିକ ଟିକେଟ୍‌

ଅମ୍ମନ (ଜୋର୍ଡାନ), ୧୧।୩ (ପି.ଟି.)- ବିଶ୍ୱ ବ୍ରୋଞ୍ଜ ପଦକ ବିଜେତା ମନୀଷ କୌଶିକ (୬୩ କିଗ୍ରା) ୯ମ ଭାରତୀୟ ବକ୍ସର ଭାବେ ଆଗାମୀ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ ଚାଲିଥିବା ଏସିଆନ୍‌ ଯୋଗ୍ୟତା ପର୍ଯ୍ୟାୟର ଏକ ରକ୍ତାତ ମୁକାବିଲାରେ ମନୀଷ ୪-୧ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ତଥା ୨ୟ ସିଡ୍‌ ଅଷ୍ଟ୍ରେଲିଆର ହାରିସନ ଗାର୍ସିଡେଙ୍କୁ ପରାସ୍ତ କରିଛନ୍ତି। ମନୀଷଙ୍କ ପଞ୍ଚ ଏତେ ଶକ୍ତିଶାଳୀ ରହିଥିବା ଯେ ହାରିସନଙ୍କ ମୁହଁ ଫାଟି ରକ୍ତ ବାହାରିଥିଲା। ଏହାସହ ବିଶ୍ୱର ଏହି ମେଗା କ୍ରୀଡ଼ା ଇଭେଣ୍ଟକୁ ସର୍ବକାଳୀନ ସର୍ବାଧିକ ୯ ବକ୍ସର ପଠାଇ ଭାରତ ରେକର୍ଡ ସୃଷ୍ଟି କରିଛି। ଏଥିପୂର୍ବରୁ କିମ୍ବଦନ୍ତୀ ଭାରତୀୟ ବକ୍ସର ଏମ୍‌.ସି. ମେରିକମ୍‌ (୫୧ କିଗ୍ରା), ସିମରନଜିତ୍‌ କୌର (୬୦ କିଗ୍ରା), ଲୋଭଲିନା ବୋର୍‌ଗୋହେନ (୬୯ କିଗ୍ରା), ପୂଜା ରାଣୀ (୭୫ କିଗ୍ରା), ଅମିତ୍‌ ପଙ୍ଘଲ (୫୨ କିଗ୍ରା), ବିକାଶ କ୍ରିଷ୍ଣନ (୬୯ କିଗ୍ରା), ଆଶିଷ କୁମାର (୭୫ କିଗ୍ରା) ଓ ସତୀଶ କୁମାର (+୯୧ କିଗ୍ରା) ଟୋକିଓ ଅଲିମ୍ପିକ୍ସକୁ ଟିକେଟ୍‌ ହାସଲ କରିସାରିଛନ୍ତି। ପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସର୍ବାଧିକ ୮ଜଣ ବକ୍ସର ଦେଶ ତରଫରୁ ପ୍ରତିନିଧିତ୍ୱ କରିଥିଲେ।

Share