Categories: ଖେଳ

ବକ୍ସିଂ ଡେ ଟେଷ୍ଟ: ନ୍ୟୁଜିଲାଣ୍ଡ ୨୪୭ ରନରେ ପରାସ୍ତ, ସିରିଜ କବ୍‌ଜା କଲା ଅଷ୍ଟ୍ରେଲିଆ

ମେଲବୋର୍ନ, ୨୯।୧୨ (ଏଏଫ୍‌ପି)- ନାଥନ ଲିୟନ ଓ ଜେମ୍ସ ପାଟିନସନଙ୍କ ମିଳିତ ବୋଲିଂ ସଫଳତା ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ୨ୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ୨୪୭ ରନର ବୃହତ୍‌ ରନ୍‌ ବ୍ୟବଧାନରେ ପରାସ୍ତ କରିଛି। ଘରୋଇ ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୪୮୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଓପନର୍‌ ଟମ୍‌ ବଣ୍ଡେଲଙ୍କ ଶତକ ସତ୍ତ୍ୱେ ମ୍ୟାଚ୍‌ର ୪ର୍ଥ ଦିବସରେ ରବିବାର ୨୪୦ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍‌ଜା କରିନେଇଛି। ପୂର୍ବରୁ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଅଷ୍ଟ୍ରେଲିଆ ୨୯୬ ରନରେ ଜିତିଥିଲା। ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍‌ ଜାନୁୟାରୀ ୩ରୁ ସିଡ୍‌ନୀରେ ଖେଳାଯିବ।
ଡେ ଅବସରରେ ଖେଳାଯାଇଥିବା ଏହି ଟେଷ୍ଟରେ ୪୮୮ ରନର କଷ୍ଟସାଧ୍ୟ ଲକ୍ଷ୍ୟକୁ ପିଛା କରି ରବିବାର ନ୍ୟୁଜିଲାଣ୍ଡ ପ୍ରାରମ୍ଭରୁ ୩୫ ରନରେ ଟମ୍‌ ଲଥାମ୍‌ (୮), ଅଧିନାୟକ କେନ୍‌ ଓ୍ବିଲିୟମ୍ସ (୦) ଓ ରସ୍‌ ଟେଲର (୨)ଙ୍କ ଉଇକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ମଧ୍ୟକ୍ରମରେ ହେନରୀ ନିକୋଲାସ (୩୩ ରନ), ବିଜେ ଓ୍ବାଟ୍‌ଲିଂ (୨୨) ଓ ମିଚେଲ ସାଣ୍ଟନର (୨୭) କିଛିଟା ସଂଘର୍ଷ କରିଥିଲେ ମଧ୍ୟ କିଓ୍ବି ଦଳ ୭୧ ଓଭରରେ ୨୪୦ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଓପନର୍‌ ଟମ୍‌ ବଣ୍ଡେଲ ୧୨୧ ରନ (୨୧୦ ବଲ୍‌, ୧୫ ଚୌକା)ର ସଂଘର୍ଷପୂର୍ଣ୍ଣ ଶତକୀୟ ଇନିଂସ ଖେଳିଥିଲେ ମଧ୍ୟ ଏହା ବୃଥା ଯାଇଥିଲା। ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ବଣ୍ଡେଲଙ୍କୁ ଆଉଟ୍‌ କରି ମାର୍ନସ ଲାବୁସେନ ଅଷ୍ଟ୍ରେଲିଆକୁ ବିଜୟ ଭେଟି ଦେଇଥିଲେ। ଅନ୍ୟ ଅଷ୍ଟ୍ରେଲୀୟ ବୋଲରଙ୍କ ମଧ୍ୟରେ ଅଫ୍‌ସ୍ପିନର ଲିୟନ ୪, ପାଟିନସନ ୩ଟି ଉଇକେଟ୍‌ ନେଇଥିଲେ। ଆଘାତ ଲାଗି ଟ୍ରେଣ୍ଟ ବୋଲ୍ଟ ବ୍ୟାଟିଂ କରିବାକୁ ଆସି ନ ଥିଲେ।
ଟ୍ରାଭିସ ହେଡ୍‌ (୧୧୪)ଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୭ ରନ କରିଥିଲା। ଜବାବରେ ପ୍ୟାଟ୍‌ କୁମିନ୍ସ (୫ ଉଇକେଟ୍‌)ଙ୍କ ବୋଲିଂକୁ ସାମ୍ନା କରି ନ ପାରି ନ୍ୟୁଜିଲାଣ୍ଡ ୧୪୮ ରନରେ ସୀମିତ ରହିଥିଲା। ୩୧୯ ରନର ଅଗ୍ରଣୀ ଥାଇ ଅଷ୍ଟ୍ରେଲିଆ ୨ୟ ଇନିଂସରେ ୫ ଉଇକେଟ୍‌ରେ ୧୬୮ ରନ କରିବା ସହ ଇନିଂସ ଘୋଷଣା କରିଥିଲା। ଟ୍ରାଭିସ ହେଡ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୪୬୭/୧୦
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୧୪୮/୧୦
ଅଷ୍ଟ୍ରେଲିଆ ୨ୟ ଇନିଂସ- ୧୬୮/୫ ଘୋଷଣା
ନ୍ୟୁଜିଲାଣ୍ଡ ୨ୟ ଇନିଂସ- ୨୪୦/୧୦ (କଲିନ ଡି ଗ୍ରାଣ୍ଡହୋମ ୯, ଟିମ୍‌ ସୌଦୀ ୨, ବଣ୍ଡେଲ ୧୨୧, ଲିୟନ ୪/୮୧)।

Share