Categories: ଖେଳ

ବକ୍ସିଂ ଡେ ଟେଷ୍ଟ ପାଇଁ ସିଡ୍‌ଲୀଙ୍କୁ ଡାକରା

ସିଡ୍‌ନୀ, ୧୭।୧୨ (ଏଏଫ୍‌ପି)- ମେଲବୋର୍ନ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ଠାରେ ଡିସେମ୍ବର ୨୬ରୁ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ୨ୟ ମ୍ୟାଚ୍‌ ଆରମ୍ଭ ହେବ। ବକ୍ସିଂ ଡେ’ରେ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍‌ ପାଇଁ ମଙ୍ଗଳବାର ୧୩ ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ଭେଟେରାନ ଦ୍ରୁତ ବୋଲର ପିଟର୍‌ ସିଡ୍‌ଲୀଙ୍କୁ ଅଷ୍ଟ୍ରେଲିଆ ଚୟନକର୍ତ୍ତାମାନେ ଏହି ଦଳରେ ସୁଯୋଗ ଦେଇଛନ୍ତି। ଫଳରେ ୩୫ ବର୍ଷୀୟ ସିଡ୍‌ଲୀଙ୍କ କ୍ୟାରିୟରକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ପୁଣିଥରେ ଉଜ୍ଜୀବିତ ହୋଇଉଠିଛି। ଏହି ଭେଟେରାନ ଡାହାଣହାତୀ ଦ୍ରୁତ ବୋଲର ଗତ ଆଶେସ ସିରିଜରେ ୩ଟି ମ୍ୟାଚ ଖେଳି ୪୨.୧୪ ଆଭରେଜରେ ମାତ୍ର ୭ଟି ଉଇକେଟ୍‌ ନେଇଥିଲେ। ଫଳରେ ତାଙ୍କ ଭବିଷ୍ୟତ କ୍ୟାରିୟର ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଥିଲା। ଏହାପରେ ଗତ ମାସରେ ପାକିସ୍ତାନ ବିପକ୍ଷରେ ଅନୁଷ୍ଠିତ ଟେଷ୍ଟ ସିରିଜ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ସିରିଜ ଲାଗି ତାଙ୍କ ନାମ ବିଚାରକୁ ନିଆଯାଇ ନ ଥିଲା। କିନ୍ତୁ ଜୋଶ୍‌ ହାଜେଲଉଡ୍‌ଙ୍କ ଆଘାତ ସମସ୍ୟା ସିଡ୍‌ଲୀଙ୍କ ଖେଳିବା ପାଇଁ ଆଶା ସଞ୍ଚାର କରିଥିଲା। ହାଜେଲଉଡ୍‌ଙ୍କ ସ୍ଥାନରେ ବଦଳ ଖେଳାଳିଭାବେ ଜେମ୍ସ ପାଟିନସନ ପ୍ରମୁଖ ଦାବିଦାର ରହିଥିଲେ ମଧ୍ୟ ଏମ୍‌ସିଜି ସିଡ୍‌ଲୀଙ୍କ ହୋମ୍‌ ଭେନ୍ୟୁ ହୋଇଥିବାରୁ ତାଙ୍କୁ ଚୟନକର୍ତ୍ତାମାନେ ସୁଯୋଗ ଦେଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବା ପରଠାରୁ ସିଡ୍‌ଲୀ ବର୍ତ୍ତମାନ ସୁଦ୍ଧା ଜାତୀୟ ଦଳ ପକ୍ଷରୁ ୬୭ ଟେଷ୍ଟ, ୨୦ ଦିନିକିଆ ଓ ୨ ଟି୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ଯଥାକ୍ରମେ ୨୨୧, ୧୭ ଓ ୩ଟି ଉଇକେଟ୍‌ ନେଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌କୁ ୨୯୬ ରନରେ ଜିତି ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ରହିଛି।

Share