Categories: ଖେଳ

ବକ୍ସିଂ ରିଙ୍ଗ୍‌ରେ ଦୁଇ ଭାଇ ମୁହାଁମୁହିଁ

ଭୁବନେଶ୍ୱର, ୨ା୩ (କ୍ରୀଡ଼ା ପ୍ରତିନିଧି)- ରବିବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଗୋଟିଏ ଇଭେଣ୍ଟରେ ଦୁଇ ଭାଇ କିମ୍ବା ଯମଜ ଭଉଣୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜର ଖୋରାକ ଯୋଗାଇଥିଲା। ଅନ୍ତିମ ଦିବସରେ ପଟିଆଲାର ଦୁଇ ଭାଇଙ୍କୁ ବକ୍ସିଂ ରିଙ୍ଗ୍‌ ମଧ୍ୟରେ ସ୍ବର୍ଣ୍ଣ ପଦକ ପାଇଁ ଲଢ଼େଇ କରୁଥିବା ଦେଖା ଯାଇଥିଲା। ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟଳୟରେ ପଢ଼ୁଥିବା ଗୁରବିନ୍ଦର ସିଂ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ତାଙ୍କ ସାନଭାଇ ହରବିନ୍ଦର ସିଂଙ୍କ ସହ ୪୯ କେଜି କାଟେଗୋରିରେ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ। କେହି କାହାରିକୁ ଛାଡ଼ିବା ସ୍ଥିତିରେ ନ ଥିବାରୁ ଲଢ଼େଇ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଶେଷରେ ଗୁରବିନ୍ଦର ୨-୧ ପଏଣ୍ଟ ବ୍ୟବଧାନରେ ହରବିନ୍ଦରଙ୍କୁ ପରାସ୍ତ କରିଥିଲେ। ”ଆମେ ଯେତେବେଳେ ରିଙ୍ଗ୍‌କୁ ଗଲୁ ଦୁଇ ଭାଇ ବୋଲି ଭୁଲି ଯାଇଥିଲୁ। ଉଭୟ ଲଢ଼େଇରେ ବିଜୟୀ ହେବାକୁ ଚାହିଁଥିଲୁ। କୌଣସି ପରିସ୍ଥିତିରେ ହାଲ୍‌କା ମନୋଭାବ ପୋଷଣ ସମ୍ଭବ ନ ଥିଲା“ ବୋଲି ଗୁରବିନ୍ଦର ପ୍ରକାଶ କରିଛନ୍ତି। ପ୍ରଥମ ଅଣଭାରତୀୟଭାବେ ୨୦୧୨ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଜିତିଥିବା କ୍ୟୁବାର ବି.ବେର୍ନାଣ୍ଡେଜ୍‌ଙ୍କ ନିକଟରେ ଦୁଇ ଭାଇ ପ୍ରଶିକ୍ଷଣ ନେଉଛନ୍ତି। ଉଭୟଙ୍କର ଉଜ୍ଜ୍ୱଳ ଭବିଷ୍ୟତ ରହିଛି ବୋଲି କୋଚ୍‌ ବେର୍ନାଣ୍ଡେଜଙ୍କ ମତ।

Share