Categories: ଖେଳ

ବକ୍‌ନରଙ୍କୁ ପଛରେ ପକାଇବେ ଅଲିମ୍‌ ଦାର

ଦୁବାଇ, ୧୨।୧୨(ପି.ଟି.)- ପାକିସ୍ତାନ ଅମ୍ପାୟର ଅଲିମ୍‌ ଦାର ଏବେ ଓ୍ବେଷ୍ଟଇଣ୍ଡିଜର ଷ୍ଟିଭ୍‌ ବକ୍‌ନରଙ୍କ ରେକର୍ଡକୁ ଅତିକ୍ରମ କରିବାକୁ ଯାଉଛନ୍ତି। ଅମ୍ପାୟର ହିସାବରେ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ପରିଚାଳନା କରି ବକ୍‌ନର ରେକର୍ଡ ସୃଷ୍ଟି କରିଥିଲେ। ୧୨ ତାରିଖ ଗୁରୁବାରଠାରୁ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ପର୍ଥରେ ପ୍ରଥମ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ଏଥିରେ ଦାର ଅନ୍‌ଫିଲ୍ଡ ଅମ୍ପାୟର ଭାବେ ମ୍ୟାଚ୍‌ ପରିଚାଳନା କରିବେ। ଏଥିରେ କ୍ୟାରିୟରର ୧୨୯ତମ ଟେଷ୍ଟରେ ଅମ୍ପାୟରିଂ କରିବା ସହ ବକ୍‌ନରଙ୍କ ରେକର୍ଡ ଭାଙ୍ଗିବେ। ୨୦୦୩ରେ ୫୧ ବର୍ଷୀୟ ଦାର ପାକିସ୍ତାନରେ ଦଶନ୍ଧିଧରି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ପରେ ଅମ୍ପାୟର ହିସାବରେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୩ରେ ସେ ଢାକାରେ ଇଂଲଣ୍ଡର ବାଂଲାଦେଶ ଗସ୍ତ ଅବସରରେ ଅମ୍ପାୟର ଭାବେ ପଦାର୍ପଣ କରିଥିଲେ।
୨୦୦୦ରେ ଶ୍ରୀଲଙ୍କା ବିପକ୍ଷ ପାକିସ୍ତାନର ଘରୋଇ ଦିନିକିଆ ସିରିଜରେ ଦାର ଦିନିକିଆରେ ଅମ୍ପାୟାରିଂ କ୍ୟାରିୟର ଆରମ୍ଭ କରିଥିଲେ। ଦାର ଏପର୍ଯ୍ୟନ୍ତ ୨୦୭ଟି ଦିନିକିଆରେ ଅମ୍ପାୟରିଂ କରିଛନ୍ତି। ଆଉ ଦୁଇଟି ଦିନିକିଆ ମ୍ୟାଚ୍‌ ପରିଚାଳନା କଲେ ସେ ଦକ୍ଷିଣ ଆଫ୍ରିକାର ରୁଡ କର୍ଜନଙ୍କ ରେକର୍ଡର ସମକକ୍ଷ ହେବେ। କର୍ଜନ ୨୦୯ଟି ଦିନିକିଆରେ ଅମ୍ପାୟରିଂ କରି ରେକର୍ଡ କରିଛନ୍ତି। ଦାର ମଧ୍ୟ ୪୬ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ପରିଚାଳନା କରିଛନ୍ତି।
ଯେତେବେଳେ କ୍ୟାରିୟର ଆରମ୍ଭ କରିଥିଲି ଏହି ମାଇଲଖୁଣ୍ଟ ନିକଟରେ ପହବା କଥା ଭାବି ନ ଥିଲି ବୋଲି ଦାର କହିଛନ୍ତି। ବକନର ମୋର ଆଦର୍ଶ ବୋଲି ଦାର କହିଛନ୍ତି। ତାଙ୍କୁ ଅତିକ୍ରମ କରିବା ମୋ ପାଇଁ ଏକ ବଡ଼ ଉପଲବ୍ଧି। ଟେଷ୍ଟରେ ବ୍ରାଏନ ଲାରାଙ୍କ ଅପରାଜିତ ୪୦୦ ରନର ଇନିଂସ ଓ ଅଷ୍ଟ୍ରେଲିଆ ୪୩୪ ରନକୁ ଦକ୍ଷିଣ ଆଫ୍ରିକା ସଫଳତାର ସହ ଚେଜ୍‌ କରିବା ଘଟଣାକୁ ଅମ୍ପାୟର ଭାବେ ଦେଖିବା ଓ ଅଙ୍ଗେନିଭାଇବା ମୋ ପାଇଁ ଏକ ସୌଭାଗ୍ୟ ବୋଲି ଦାର କହିଛନ୍ତି।

Share