ଛେଣ୍ଡିପଦା,୧୪।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ବ୍ରାହ୍ମଣବିଲା ଗ୍ରାମରେ ରବିବାର ଭାଲୁ ଆକ୍ରମଣରେ ବାପ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମ ଶଙ୍ଖାଡ଼ି ସାହିର ପ୍ରହ୍ଲାଦ ଶଙ୍ଖାରୀ(୫୦) ଏବଂ ପୁଅ ମିଟୁ ଶଙ୍ଖାରୀ। ଉଭୟଙ୍କ ବାମ ହାତ ଏବଂ ଆଣ୍ଠୁ ନିକଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ, ପ୍ରହ୍ଲାଦ ଏବଂ ମିଟୁ ସକାଳ ୭ଟାରେ ଗ୍ରାମ ନିକଟ ଛେପିଲଠାରେ ଥିବା ପୋଟଳ ବଗିଚାକୁ ଯାଉଥିଲେ। ଏହି ସମୟରେ ୩ଟି ଭାଲୁ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେମାନେ ଚିତ୍କାର କରିବା ପରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଚିକିତ୍ସା ନିମନ୍ତେ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।