ବଙ୍କରକୁ ଫେରିଯାଅ

ସିଟଲ,୧୩ା୬: ଆମେରିକାର ପଶ୍ଚିମ ଉପକୂଳରେ ଥିବା ସିଟଲ ସହରରେ ବିକ୍ଷୋଭକାରୀଙ୍କ ପୋଲିସମୁକ୍ତ ସ୍ବୟଂଶାସିତ ଜୋନ୍‌ରେ ହସ୍ତକ୍ଷେପ କରିବେ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଥିଲେ। ଫଳରେ ଟ୍ରମ୍ପ୍‌ ଓ ସିଟଲ ମେୟରଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଟ୍ରମ୍ପ୍‌ ନିଜ ବଙ୍କରକୁ ଫେରିଯାଆନ୍ତୁ ବୋଲି ମେୟର ଜେନି ଡୁର୍କାନ ଆକ୍ଷେପ କରିଛନ୍ତି।
ସୂଚନାଯୋଗ୍ୟ, କୃଷ୍ଣକାୟ ଜର୍ଜ ଫ୍ଲୋୟଡଙ୍କମୃତ୍ୟୁପରେଆମେରିକାରେ ହିଂସାତ୍ମକ ଆନ୍ଦୋଳନ ଚାଲିଥିବାବେଳେ ଉତ୍ତ୍ୟକ୍ତ ହଜାର ହଜାର ବିକ୍ଷୋଭକାରୀ ହ୍ବାଇଟ ହାଉସ୍‌କୁ ଘେରିଯିବାରୁ ସୁରକ୍ଷା ଦୃଷ୍ଟିରୁ ଟ୍ରମ୍ପ୍‌ଙ୍କୁ ସିକ୍ରେଟ ସର୍ଭିସ ସଂସ୍ଥା ବଙ୍କର ମଧ୍ୟକୁ ନେଇଯାଇଥିଲା। ସିଟଲ୍‌କୁ କବ୍‌ଜା କରିଥିବା ବିକ୍ଷୋଭକାରୀଙ୍କୁ ଟ୍ରମ୍ପ୍‌ ଘରୋଇ ଆତଙ୍କବାଦୀ କହିଥିଲେ। ଏହାସହ ଯଦି ମେୟର ଜେନି ଡୁର୍କାନ ଓ ଓ୍ବାଶିଂଟନ ଗଭର୍ନର ଜେ ଇନ୍‌ସଲ ସହରକୁ ନିୟନ୍ତ୍ରଣ କରିପାରୁନାହାନ୍ତି ତେବେ ସେ ନିଜେ ହସ୍ତକ୍ଷେପ କରିବେ ବୋଲି ଚେତାବନୀ ଦେଇଥିଲେ। ଏହାର ଉତ୍ତରରେ ମେୟର ଲେଖିଛନ୍ତି, ଆମ ସମସ୍ତଙ୍କୁ ସୁରକ୍ଷିତ ରଖିବାକୁ ଟ୍ରମ୍ପ୍‌ ତାଙ୍କ ବଙ୍କରକୁ ଚାଲିଯାଆନ୍ତୁ। ଗଭର୍ନର ମଧ୍ୟ ଟ୍ରମ୍ପ୍‌ଙ୍କୁ ଆକ୍ଷେପ କରିଛନ୍ତି। କହିଛନ୍ତି, ଶାସନ କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ ବ୍ୟକ୍ତି ଓ୍ବାଶିଂଟନ ରାଜ୍ୟ ବ୍ୟାପାରରେ ମୁଣ୍ଡ ନ ଖେଳାନ୍ତୁ ଓ ଟୁଇଟ କରିବା ବନ୍ଦ କରନ୍ତୁ।

Share