ବଙ୍ଗରଦୁଆ ଘାଟିରେ କାଠ ଗାର୍ଡ଼ ୱାଲ୍‌: ବିପଦପୂର୍ଣ୍ଣ ଘାଟିର ସ୍ଥାୟୀ ସମାଧାନ ନେଇ ଦାବି

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୪।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ନିକଟ ବଙ୍ଗରଦୁଆ ଘାଟି ଏବେ ଦିନକୁ ଦିନ ବିପଦ ସଙ୍କୁଳ ହୋଇପଡିଛି। ରାସ୍ତା ପାଶ୍ୱର ମାଟି ଅତଡ଼ା ଖସିବା ସହ ପାହାଡ଼ ଉପରୁ ଗଛ ନଇଁ ପଡ଼ି ରାସ୍ତା ଅବରୋଧ କରୁଛି । ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକ ବିପଦପୁର୍ଣ୍ଣ ଭାବେ ଘାଟି ପାର ହେଉଛନ୍ତି ।ବର୍ତ୍ତମାନ ପୁର୍ତ୍ତ ବିଭାଗ ପକ୍ଷରୁ ସ୍ଥାୟୀ ଗାର୍ଡୱାଲ କରାଯିବା ବଦଳରେ ମାତ୍ର ୫୦ ହଜାର ଟଙ୍କା ଖର୍ଚ୍ଚ ବିନିମୟରେ କାଠ ବାଡ଼ କରାଯାଇଛି। କୌଣସି ଗାଡ଼ି ଦୁର୍ଘଟଣାଗ୍ରସ୍ଥ ହେଲେ ଉକ୍ତ କାଠବାଡ଼ କୌଣସି ପ୍ରକାର ସୁରକ୍ଷାରେ ଦେବ ନାହିଁ । କେବଳ ନିଜର କାର୍ଯ୍ୟ ସାରିଦେବା ପାଇଁ ପୁର୍ତ୍ତ ବିଭାଗ ଏଭଳି କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ଏଭଳି କାର୍ଯ୍ୟ ପ୍ରତି ଗୁରୁତ୍ୱ ଦେଇ ପକ୍କା ରାସ୍ତା ଏବଂ ସୁରକ୍ଷା ପାଇଁ ଗାର୍ଡୱାଲ କରିବା ଆବଶ୍ୟକ ବୋଲି ଅଞ୍ଚଳବାସୀ କହିଛନ୍ତି ।
ଏନେଇ ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ବ୍ରଜକିଶୋର ମହାପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ବିଭାଗ ଉକ୍ତ ଘାଟିକୁ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାର ଆରମ୍ଭ କରିଛି । ଉକ୍ତ ରାସ୍ତାର ୨୦ କି.ମି ରାସ୍ତାକୁ ପୁଣି ଓସାରିଆ କରାଯାଇ ୨୪ ଫୁଟ କରାଯିବ । ଏଥି ଲାଗି ୩୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯିବା ସହ ଟେଣ୍ଡର ପ୍ରକ୍ରୀୟା ଶେଷ ହୋଇସାରିଛି । ଖୁବ୍‌ ଶିଘ୍ର ଏହି କାର୍ଯ୍ୟ ଆରମ୍ଭ କରାଯିବା ସହ ବଙ୍ଗରଦୁଆ ଘାଟିରେ ପକ୍କା ଗାର୍ଡ ୱାଲ କରାଯିବ। ବର୍ତ୍ତମାନ ମାଟିଅତଡ଼ା ଖସିବାରୁ ଅସ୍ଥାୟୀ ଭାବେ କାର୍ଯ୍ୟ କରାଯାଇଥିବା ସେ କହିଛନ୍ତି ।

Share