ବଙ୍ଗୀୟ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ମାଡ଼ ଘଟଣା: ହୋଟେଲ ପରିଚାଳକ, କର୍ମଚାରୀ ଗିରଫ

କଟକ ରୋଡ,୧୯।୧୨ (ଡି.ଏନ୍‌.ଏ.): ହୋଟେଲରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଓ ମାଡ଼ ଘଟଣାରେ ଲକ୍ଷ୍ମୀସାଗର ପୋଲିସ ବୁଧବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ହୋଟେଲ ପରିଚାଳକ ମିଥୁନ ସ୍ବାଇଁ ଓ କର୍ମଚାରୀ ବିଶ୍ୱନାଥ ପାତ୍ର। ସୂଚନା ଅନୁଯାୟୀ, କୋଲକାତା ଅଞ୍ଚଳର ଯୁବତୀ ଜଣକ ସୋମବାର କଟକ ରୋଡରେ ଥିବା ଏକ ହୋଟେଲ ରୁମ୍‌ରେ ରହିଥିଲେ। କୌଣସି କାରଣକୁ ନେଇ ରାତିରେ ଯୁବତୀଙ୍କ ସହ ହୋଟେଲ ପରିଚାଳକ ଓ କର୍ମଚାରୀଙ୍କ ବଚସା ହୋଇଥିଲା। ଏହି ଘଟଣା ଉଗ୍ରରୂପ ଧାରଣ କରିବା ସହ ହୋଟେଲର ଏହି ଦୁଇ କର୍ମଚାରୀ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ମାତ୍ର ଏଥିରେ ବିଫଳ ହେବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଯୁବତୀଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୩୭୭/୧୯)ରୁଜୁକରି ତଦନ୍ତ ଚଳାଇଥିଲା। ସୂଚନାଥାଉକି, ଗତ କିଛି ମାସ ପୂର୍ବେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ସାକ୍ଷାତକାର ନେବା ବାହାନାରେ ରାଜ୍ୟ ବାହାରର ଯୁବତୀଙ୍କୁ ବଳାତ୍କାର କରାଯାଇଥିଲା। ଏ ନେଇ ଅଭିଯୋଗ ପରେ ପୋଲିସ ଏକ ଘରୋଇ ସଂସ୍ଥାର ଓଡ଼ିଶା ମୁଖ୍ୟଙ୍କୁ ଗିରଫ କରିଥିଲା।

Share