ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା: ଅଧିକ ସକ୍ରିୟ ହେବ ମୌସୁମୀ

ଭୁବନେଶ୍ୱର,୨।୬(ବ୍ୟୁରୋ): ଆସନ୍ତା ୮ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅପରପକ୍ଷେ ଦକ୍ଷିଣ-ପଶ୍ଚିମ ମୌସୁମୀ ସୋମବାର କେରଳ ଛୁଇଁଛି। ଆଉ ୯ ଦିନ ପରେ ତାହା ଓଡ଼ିଶାରେ ପାଦ ଥାପିବ। ସେଥିପାଇଁ ପାଗ ଅନୁକୂଳ ରହିଛି। ତେବେ ଲଘୁଚାପ ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହେବ ଏବଂ ଆଗକୁ ବଢ଼ିବ। ମୌସୁମୀ ଉପୂକଳ ଓଡ଼ିଶା ବାଲେଶ୍ୱର, ପୁରୀ ଦେଇ ରାଜ୍ୟକୁ ପ୍ରବେଶ କରିବ। ଉପକୂଳବର୍ତ୍ତୀ ଜିଲା କେନ୍ଦ୍ରାପଡ଼ା, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର, ପୁରୀ ଆଦି ଜିଲାରେ ବର୍ଷା ପରିମାଣ ବଢ଼ିବ। ଚଳିତ ବର୍ଷ ମୌସୁମୀ ଭଲ ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଜୁଲାଇରେ ୧୦୬ ମିଲିମିଟର ବର୍ଷା ହେବା ବେଳେ ଅଗଷ୍ଟରେ ୯୬ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରାଯାଇଛି। ବାତ୍ୟା ଅମ୍ଫନ ଯୋଗୁ ମୌସୁମୀ ବିଳମ୍ବ ହେବ ବୋଲି କୁହାଯାଉଥିଲା। ମାତ୍ର ମୌସୁମୀ ଉପରେ ଏହାର କୌଣସି ପ୍ରଭାବ ପଡି ନାହିଁ। ମୌସୁମୀ ନିର୍ଦ୍ଧାରିତ ସମୟରେ କେରଳରେ ପହଞ୍ଚିଛି। ମୌସୁମୀ ଆସିବା ଯାଏ ରାଜ୍ୟରେ ତାତି ବଢ଼ିବ ନାହିଁ। ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଯିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଏବଂ ମାଲକାନଗିରି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ପୁରୀ, ଅନୁଗୋଳ, କଟକ, ଢେଙ୍କାନାଳ ଏବଂ ନୟାଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share