ବଙ୍ଗୋପସାଗର ଉପକୂଳରେ ଅବପାତ: ୪୮ ଘଣ୍ଟା ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଭୁବନେଶ୍ୱର, ୭ା୮(ବ୍ୟୁରୋ): ଓଡ଼ିଶାର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପକୂଳ ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ପବନ ସହ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ଏନେଇ ମଙ୍ଗଳବାର ଭାରତୀୟ ପାଣିପାଗ ବିଭାଗ ସୂଚନା ଦେବାପରେ ରାଜ୍ୟ ସରକାର ସବୁ ଜିଲାରେ ଆଲର୍ଟ ଜାରି କରିଛନ୍ତି। ଜିଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ ୨୪ ଘଣ୍ଟିଆ ଜରୁରିକାଳୀନ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଖାଦ୍ୟ, ପାନୀୟ, ଆଲୋକ ଆଦିର ବ୍ୟବସ୍ଥା କରିବାକୁ କୁହାଯାଇଛି। ସେହିପରି ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସମସ୍ତ ଜିଲାପାଳ, ଅଗ୍ନିଶମ ସେବା ଆଇଜି, ଏନ୍‌ଡିଆର୍‌ଏଫ୍‌ ସମେତ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହି ସତର୍କତା ଜାରି କରାଯାଇଛି।
୭ ତାରିଖ ପାଇଁ ୫ ଜିଲାରେ ରେଡ୍‌ ଆଲର୍ଟ, ୭ ଜିଲାରେ ଅରେଞ୍ଜ ଆଲର୍ଟ ଓ ୮ ଜିଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ୮ ତାରିଖରେ ୬ ଜିଲାରେ ୟେଲୋ ଆଲର୍ଟ ଜାରି ହୋଇଛି। ମାଲକାନଗିରି, କୋରାପୁଟ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ପୁରୀ ଜିଲା ପାଇଁ ବୁଧବାର ପର୍ଯ୍ୟନ୍ତ ରେଡ୍‌ ଆଲର୍ଟ ଜାରି ହୋଇଛି। ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଇଛି। ସେହିପରି ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ଗଜପତି, ବୌଦ୍ଧ, ସୋନପୁର, ସମ୍ବଲପୁର, ଦେବଗଡ଼, କଟକ, ଢେଙ୍କାନାଳ ଓ ନୟାଗଡ଼ ଜିଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାବ୍ୟତୀତ ୧୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
ଅନ୍ୟପକ୍ଷରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ହେବା ସମ୍ଭାବନା ରହିଛି। ପବନର ବେଗ ବୃଦ୍ଧି ପାଇ ୬୫ କିଲୋମିଟରେ ପହଞ୍ଚତ୍ପାରେ। ତେବେ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ୩୫ରୁ ୪୦ କିଲୋମିଟର ବେଗରେ ପବନ ବହି ୫୦ କିଲୋମିଟରରେ ପହଞ୍ଚତ୍ବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ, ଗୋପାଳପୁର, ସୁନ୍ଦରଗଡ଼, ଭୁବନେଶ୍ୱର ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Share