ବଜାରକୁ ଆସିଲା ହାପୁସ ଆମ୍ବ, ଗୋଟିକର ଦାମ ୧୭୦ଟଙ୍କା

ମୁମ୍ବାଇ,୧।୨: କୋଙ୍କଣର ବିଶ୍ୱ ପ୍ରସିଦ୍ଧ ହାପୁସ ଆମ୍ବ ଏବେ ବଜାରକୁ ଆସିବା ଆରମ୍ଭ କରିଛି। ନିକଟରେ ଏହାର ଏକ ନିଲାମି କରାଯାଇଥିବା ସୂଚନା ମିଳିଛି। ଏହାର ୫ ଡଜନ ଆମ୍ବ ଥିବା ଏକ ପେଟିକୁ ୧୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଜଣାପଡିଛି। ଚଳିତ ବର୍ଷ ନିଲାମିରେ ଏହି ଆମ୍ବକୁ ଡଜନ ପିଛା ୨ହଜାର ଟଙ୍କା ମିଳିଛି ବୋଲି କୁହାଯାଉଛି। ଅର୍ଥାତ ଗୋଟିଏ ଆମ୍ବର ଦାମ୍‌ ପାଖାପାଖି ୧୭୦ ଟଙ୍କା । ବ୍ୟବସାୟୀ ବିଜୟ ପାଟିଲ କହିଛନ୍ତି ମାର୍ଚ୍ଚ ମାସରେ ଏହି ଆମ୍ବର ଦାମ କମିଯିବ ହେଲେ ଏବେ ଏହା ଚଢା ଦରରେ ବିକ୍ରି କରାଯିବ। ଆଉ ଏପ୍ରିଲ-ମେ ବେଳକୁ ଏହା ସାଧାରଣ ଜନତାଙ୍କ ପକେଟକୁ ସୁହାଇଲା ଭଳି ଦାମରେ ମିଳିବ ବୋଲି ସେ କହିଛନ୍ତି। ପ୍ରତିବର୍ଷ ପ୍ରାୟ ନଭେମ୍ବରରେ ଏହାର ଉତ୍ପାଦନ ହେଉଥିବା ବେଳେ ଚଳିତ ବର୍ଷ ଏହା ୩ମାସ ବିଳମ୍ବରେ ଆସିଛି ବୋଲି କୁହାଯାଇଛି। ଗତବର୍ଷ ଏହାର ଦାମ୍‌ ଅଧିକ ଥିବା ବେଳେ ଚଳିତବର୍ଷ ଏହା କମି ଯାଇଛି। ତେବେ ଗତବର୍ଷ ଏହି ଆମ୍ବ ଗୋଟିକର ଦାମ୍‌ ପାଖାପାଖି ୨୩୦ ଟଙ୍କା ଥିଲା।

Share