ବଜାରରୁ ସିରିଜ୍‌ ଚୋରି: ବାଳସୁଧାର ଗୃହ ଗଲେ ୩ ଅନ୍ତେବାସୀ ନାବାଳକ

ଶଙ୍କରାଖୋଲ,୨୬ା୧୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ମଲିକ ଗଁା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଥିବା ଏସ୍‌ସି ଏସ୍‌ଟି ଛାତ୍ରାବାସର ୩ ନାବାଳକଙ୍କୁ ପୋଲିସ ରବିବାର ରାତିରେ ନିକଟସ୍ଥ ବଜାରରେ ଚୋରି କରିବାବେଳେ ଧରିଥିଲା। ମଙ୍ଗଳବାର ଫୁଲବାଣୀ ପ୍ରଥମଶ୍ରେଣୀ ବିଚାରପତିଙ୍କ ନିକଟରେ ହାଜର ପରେ ସେମାନଙ୍କୁ ବାଳସୁଧାର ଗୃହକୁ ପଠାଇଦିଆଯାଇଛି। ଏନେଇ ଟିକାବାଲି ଥାନାରେ ନଂ.୧୧୩/୧୯ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରେବତୀ ଶବର କହିଛନ୍ତି।
ପ୍ରକାଶ ଯେ, ଲାଇନପଡା ଗ୍ରାମ ପାଖ ବଜାରରୁ ୨ମାସ ହେଲା ବିଭିନ୍ନ ଦୋକାନରୁ ଚୋରି ହେଉଥିଲା। ଏନେଇ ବଣିକସଂଘ ପକ୍ଷରୁ ଲାଇନପଡା ଫାଣ୍ଡିରେ ଏତଲା ହୋଇଥିଲା। ୨୨ତାରିଖ ରାତିରେ ବଜାରର ଏକ ସେଲୁନ୍‌ ଓ ଟେଲର ଦୋକାନରୁ ଚୋରି ହୋଇଥିଲା। ଏହାପରେ ସେଠାରେ ହୋମ୍‌ଗାର୍ଡ ମୁତୟନ ହୋଇଥିଲେ। ରବିବାର ରାତିରେ ଉକ୍ତ ୩ ନାବାଳକ ବ୍ରଜେନ୍ଦ୍ରଙ୍କ ଭେରାଇଟ ଷ୍ଟୋରରେ ପଶିଥିବାବେଳେ ଡ୍ୟୁଟିରେ ଥିବା ହୋମ୍‌ଗାର୍ଡ ଧରିଥିଲେ। ଫାଣ୍ଡି ଏସ୍‌ଆଇ ମହାଜନ ପ୍ରଧାନ ପହଞ୍ଚତ୍ ସମସ୍ତଙ୍କୁ ଥାନାକୁ ନେଇଥିଲେ। ସେମାନେ ଚୋରି ସାମଗ୍ରୀ ହଷ୍ଟେଲରେ ରଖିଥିବା ସ୍ବୀକାର କରିଥିଲେ। ଏହାପରେ ବିଦ୍ୟାଳୟ ଛାତ୍ରାବାସରୁ ହୋମ୍‌ ଥିଏଟର, ବିଭିନ୍ନ ଚୋରି ସାମଗ୍ରୀ ସହ ୫୬୦ଟଙ୍କା ପୋଲିସ ଜବତ କରିଥିଲା। ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ରହୁ ନ ଥିବାବେଳେ ଗେଟ୍‌ରେ ତାଲା ପଡୁ ନ ଥିବାରୁ ଏପରି ଘଟଣା ଘଟିଥିବା ଅଞ୍ଚଳବାସୀ ଓ ବଜାରର ବ୍ୟବସାୟୀମାନେ କହିଛନ୍ତି। ପ୍ରଧାନ ଶିକ୍ଷକ ଗୌରବନ ପ୍ରଧାନଙ୍କୁ ପଚାରିବାରୁ ସେ ବିଦ୍ୟାଳୟରେ ରହୁଛନ୍ତି ଓ ଗେଟ୍‌ରେ ତାଲା ମଧ୍ୟ ପଡୁଛି। ଛାତ୍ରମାନେ କିପରି ଚୋରିକରି ଆଣିଲେ ସେ ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିଥିଲେ।