ବଜାରରେ ପୋଲିସ ପହରା: ରାସ୍ତାରେ ବୁଲିଲେ ଉଠାଇ ନେବାକୁ ଲୋକଙ୍କୁ ତାଗିଦ

ସାକ୍ଷୀଗୋପାଳ, ୨୫।୩(ଡି.ଏନ୍‌.ଏ.): କରୋନା କଟକଣା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସାକ୍ଷୀଗୋପାଳ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ଭିଡ଼ ନ ଲଗାଇବାକୁ ପରାମର୍ଶ ଦିଆଯାଇଛି। ରାସ୍ତାରେ ବୁଲୁଥିବା ଓ ବନ୍ଦ ଦୋକାନ ଆଗରେ ବସିଥିବା ଲୋକଙ୍କୁ ଥାନାକୁ ଉଠାଇ ନେବାକୁ ପୋଲିସ ଧମକ ଦେଇଛି। ସାକ୍ଷୀଗୋପାଳ ବଜାର ସମେତ ଆଖପାଖ ଛକରେ ଥିବା ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି। ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ଥାନା ଆଇଆଇସି ଦେବ ପ୍ରସାଦ ପାତ୍ର ପୋଲିସଫୋର୍ସ ସହ ବଜାରରେ ପଇଁତରା ମାରୁଛନ୍ତି। ବାହାରୁ ଗାଁକୁ ଫେରିଥିବା ଲୋକଙ୍କ ନିକଟକୁ ଯାଇ ତାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ହାଇସ୍କୁଲରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବାକୁ ଉଦ୍ୟମ ହୋଇଛି।