Categories: ବାଣିଜ୍ୟ

ବଜେଟରେ ମିଳି ନ ପାରେ ଆୟକର ରିହାତି

ନୂଆଦିଲ୍ଲୀ,୨୭-୧୨: ସରକାର କର୍ପୋରେଟ ଟିକସ ହାର ହ୍ରାସ କରିବା ପରେ ବ୍ୟକ୍ତିଗତ ଆୟକର ହ୍ରାସ ହେବା ନେଇ ଚର୍ଚ୍ଚା ହେଉଛି। ଫେବୃୟାରୀ ପହିଲାରେ ଆସିବାକୁ ଥିବା ସାଧାରଣ ବଜେଟରେ ଆୟକର ହ୍ରାସ ହେବା ନେଇ ଲୋକମାନେ ଆଶା ରଖିଛନ୍ତି। ମାତ୍ର ବର୍ତ୍ତମାନ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ସରକାର ଆୟକରରେ ରିହାତି ନ ଦେଲା ଭଳି ଅନୁମାନ କରାଯାଉଛି। ଏକ ନ୍ୟୁଜ ଏଜେନ୍ସିକୁ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଦେଇଥିବା ସୂଚନା ମୁତାବକ, ଟିକସ ହାର ହ୍ରାସ ହେଲେ ଯଦି ଲୋକମାନେ ଯଦି ସେମାନଙ୍କ ଖର୍ଚ୍ଚ ନ ବଢାନ୍ତି, ତେବେ ଏହାର ଫାଇଦା ଅର୍ଥ ବ୍ୟବସ୍ଥାକୁ ମିଳିବ ନାହିଁ। ଏହାକୁ ନେଇ ସରକାର ଆଶଙ୍କାରେ ରହିଛନ୍ତି। ଏହାକୁ ଧ୍ୟାନରେ ରଖି ସରକାର ଅଭିବୃଦ୍ଧି ଏବଂ ଚାହିଦା ସହ ସମ୍ପର୍କ ରଖୁଥିବା କ୍ଷେତ୍ରଗୁଡିକରେ ଲୋକମାନେ କିଭଳି ଖର୍ଚ୍ଚ ବଢାଇ ପାରିବେ, ସେ ଦିଗରେ କାର୍ଯ୍ୟକ୍ରମ ଜାରି କରିବାକୁ ଫୋକସ୍‌ କରାଯିବ ବୋଲି ସେ ମତ ଦେଇଛନ୍ତି।
ଅଧିକାରୀ ଜଣକ କହିଛନ୍ତି ଯେ, ସେପ୍ଟେମ୍ବରରେ ସରକାର କର୍ପୋରେଟ ଟିକସରେ ହ୍ରାସ କରିଥିଲେ। ଏହା ଦ୍ୱାରା ୧.୪୫ ଲକ୍ଷ କୋଟି ଟଙ୍କାର ରାଜସ୍ବ ହ୍ରାସ ହୋଇଛି। ସରକାରଙ୍କ ଏହି ପଦକ୍ଷେପର ପ୍ରଭାବ ଏବେ ଯାଏ ବଜାର ଉପରେ ପରିଲକ୍ଷିତ ହୋଇ ନାହିଁ। ଏହାର ପ୍ରଭାବ ଦେଖିବା ଲାଗି ଚଳିତ ଆର୍ଥତ୍କ ବର୍ଷ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ। ସେହିଭଳି ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ଏବେ ବୃଦ୍ଧି ହେଉଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ। ନଭେମ୍ବର ଶେଷ ପର୍ଯ୍ୟନ୍ତ ଏଥିରେ ୫% ବୃଦ୍ଧି ଘଟିଛି। ସେହିଭଳି ସରକାର ଲକ୍ଷ୍ୟ ରଖିଥିବା ପୁଞ୍ଜି ପ୍ରତ୍ୟାହାରଠାରୁ ବହୁ ପଛରେ ଅଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ୧.୦୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୭,୩୫୪ କୋଟି ଟଙ୍କା ହାସଲ କରିପାରିଛନ୍ତି।
ଏହାବାଦ ପରୋକ୍ଷ ଟିକସ ସଂଗ୍ରହ ମଧ୍ୟ ଆଶାନୁରୂପ ହେଉନାହିଁ। ଜିଏସ୍‌ଟି ପରିଷଦର ପ୍ରେଜେଣ୍ଟେଶନ ମୁତାବକ, ଚଳିତ ଆର୍ଥତ୍କ ବର୍ଷର ୧.୬ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ଆବଶ୍ୟକତା ପଡିବ। ଟିକସ ରାଜସ୍ବ କମୁଥିବାରୁ ଜିଏସ୍‌ଟି କ୍ଷତିପୂରଣ ସେସ୍‌ ସଂଗ୍ରହ ୬୦ ହଜାର କୋଟି ଟଙ୍କାକୁ ଖସିପାରେ ବୋଲି କୁହାଯାଉଛି। ଜିଏସ୍‌ଟି କ୍ଷତିପୂରଣ ପ୍ରଦାନରେ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ଏହାକୁ ନେଇ ରାଜ୍ୟ ଗୁଡିକ ଅସନ୍ତୋଷ ପ୍ରକାଶ କରିଥିଲେ। ୧୬ ଡିସେମ୍ବରରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୩୫,୨୯୮ କୋଟି ଟଙ୍କା କ୍ଷତିପୂରଣ ଦେଇଛନ୍ତି।

Share