ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଏହି ବଜେଟର ଖୁବ୍ ପ୍ରଶଂସା କରିଥିବା ବେଳେ ବିରୋଧି କିନ୍ତୁ ଏହାର ସମାଲୋଚନା କରିଛି। ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଥିବା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, ବଜେଟରେ ଧନୀଙ୍କ ଉପରେ ଚାପ ପଡିଥିବା ବେଳେ ଗରିବଙ୍କୁ ଉପହାର ମିଳିଛି ହେଲେ ମଧ୍ୟବିତ୍ତମାନେ ଯେଉଁଠି ଥିଲେ ସେଇଠି ରହିଯାଇଛନ୍ତି। ତେଣୁ ବଜେଟରେ ନୂଆ କିଛି ହୋଇନାହିଁ। କେବଳ ପୁରୁଣା କଥାକୁ ଦୋହରା ଯାଇଛି। ଭାଜପା ଏହାକୁ ନୂଆ ଭାରତ ଗଠନ ବୋଲି କହୁଥିବା ବେଳେ ଏହା କିନ୍ତୁ ନୂଆ ବୋତଲରେ ପୁରୁଣା ମଦ ବୋଲି କହିଛନ୍ତି ଅଧିର ରଞ୍ଜନ ଚୌଧୁରୀ। ଏଥିରେ କିଛି ନୂଆ ନାହିଁ, ରୋଜଗାରର କୌଣସି ନୂଆ ଯୋଜନା ମଧ୍ୟ ନାହିଁ ବୋଲି ସେ କହିଛନ୍ତି।