Categories: ବାଣିଜ୍ୟ

ବଜେଟ ଦସ୍ତାବିଜ ପ୍ରିଣ୍ଟିଂ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୨୧-୧: ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପାରମ୍ପରିକ ହାଲୁଆ ସେରିମନି ଅନୁଷ୍ଠିତ ହୋଇଯାଇଛି। ଏହା ସହ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ବଜେଟ ଦସ୍ତାବିଜ ପ୍ରିଣ୍ଟିଂ ପ୍ରକ୍ରିୟା ମଧ୍ୟ ଶୁଭାରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବଜେଟ ପ୍ରକ୍ରିୟା ସହ ଜଡିତ ଅଧିକାରୀ ଏବେଠାରୁ ବଜେଟ ଉପସ୍ଥାପନ ହେବା ଯାଏ ନର୍ଥ ବ୍ଲକରେ ଥିବା ଅର୍ଥ ମନ୍ତ୍ରଣାଳୟରେ ହିଁ ରହିବେ। ଏହି ସମୟରେ ସେମାନେ ପରିବାର ଲୋକଙ୍କ ସହ ମଧ୍ୟ ସମ୍ପର୍କ କରିପାରିବେ ନାହିଁ। ଫେବୃୟାରୀ ପହିଲାରେ ଅର୍ଥମନ୍ତ୍ରୀ ସୀତାରାମନ ବଜେଟ ଉପସ୍ଥାପନ କରିବେ ବୋଲି ଜଣାପଡିଛି। ବଜେଟ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହେବ। ଏହି ଦିନ ଅର୍ଥନୈତିକ ସର୍ଭେ ଆସିବ ବୋଲି ଜଣାପଡିଛି। ବଜେଟକୁ ଚୂଡାନ୍ତ ରୂପ ଦେବା ଆଗରୁ ଅର୍ଥ ମନ୍ତ୍ରଣାଳୟରେ ଏକ ବଡ କଡେଇରେ ହାଲୁଆ ପ୍ରସ୍ତୁତ କରାଯାଇଥାଏ। ସମସ୍ତଙ୍କୁ ଏହା ଖାଇବାକୁ ଦିଆଯିବା ସହ ଶୁଭେଚ୍ଛା ମଧ୍ୟ ପ୍ରଦାନ କରାଯାଏ। ଏହି ପରମ୍ପରା ଅନେକ ଦିନ ତଳୁ ଚାଲି ଆସୁଛି। କୌଣସି ଶୁଭ କାର୍ଯ୍ୟକୁ ମିଠା ଖାଇ ଆରମ୍ଭ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ୩୧ ଜାନୁୟାରୀରୁ ୧୧ ଫେବୃୟାରୀ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨ ମାର୍ଚ୍ଚରୁ ୩ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ୨ଟି ପର୍ଯ୍ୟାୟ ମଧ୍ୟରେ ଅନ୍ତତଃ ପକ୍ଷେ ଗୋଟିଏ ମାସ ଅନ୍ତର ରହିଥାଏ। ଏହି ସମୟରେ ସଂସଦୀୟ କମିଟି ପକ୍ଷରୁ ବିଭିନ୍ନ ମନ୍ତ୍ରଣାଳୟକୁ ଆବଣ୍ଟନ ହୋଇଥିବା ରାଶିର ବିଚାର ବିଷର୍ଶ କରାଯାଇଥାଏ।

Share