Categories: ବାଣିଜ୍ୟ

ବଜେଟ ପୂର୍ବରୁ ଉଦ୍ୟୋଗ ଜଗତକୁ ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୯-୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପୂର୍ବରୁ ଦେଶର ପ୍ରମୁଖ ଉଦ୍ୟୋଗ ସଂଗଠନଗୁଡ଼ିକର ପ୍ରତିନିଧିଙ୍କୁ ଭେଟିବେ। ଆସନ୍ତା ୧୧ରେ ହେବାକୁ ଥିବା ଏହି ବୈଠକରେ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ଏବଂ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକି) ଭଳି ଉଦ୍ୟୋଗ ଜଗତର ପ୍ରତିନିଧି ସାମିଲ ହେବେ। ଏହି ବୈଠକରେ ବିଦେଶୀ ନିବେଶ(ଏଫ୍‌ଡିଆଇ) ଏବଂ ଔଦ୍ୟୋଗିକ ଉତ୍ପାଦନ ବୃଦ୍ଧି ନେଇ ଆଲୋଚନା ହେବ। ଉତ୍ପାଦନ ବୃଦ୍ଧି ଲାଗି ମିଶ୍ରଣ ପ୍ରସଙ୍ଗର ବିଚାର, ଘରୋଇ ଚାହିଦାକୁ ପୂରା କରିବା ଲାଗି ସେବା କ୍ଷେତ୍ରର ବିସ୍ତାର ଏବଂ ଘରୋଇ ଉତ୍ପାଦନ ଏବଂ ରପ୍ତାନି ବଢ଼ାଇବା ଉଦ୍ଦେଶ୍ୟରେ ଶୁଳ୍କ ଢାଞ୍ଚାରେ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି। ସୂଚନାଥାଉ କି, ଉଦ୍ୟୋଗ ଜଗତର ଅଧିକାଂଶ ସଂସ୍ଥା ନିଜର ଦାବି ପୂର୍ବରୁ ଅର୍ଥ ମନ୍ତ୍ରଣାଳୟକୁ ପ୍ରଦାନ କରିସାରିଛନ୍ତି। ଆସନ୍ତା ଜୁଲାଇ ୫ରେ ବଜେଟ ଉପସ୍ଥାପିତ ହେବାକୁ ଯାଉଥିବା ବେଳେ ଅର୍ଥମନ୍ତ୍ରୀ ବଜେଟରେ ନୂଆ ଚିନ୍ତାଧାରା ପ୍ରକାଶ ପାଇଁ ଲୋକଙ୍କଠାରୁ ପ୍ରସ୍ତାବ ଆହ୍ବାନ କରିଛନ୍ତି। ଆସନ୍ତା ୨୦ ତାରିଖ ସୁଦ୍ଧା ଯେକୌଣସି ବ୍ୟକ୍ତି, ସଂଗଠନ ନିଜର ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟକୁ ପଠାଇପାରିବେ।

Share