Categories: ଜାତୀୟ

ବଜେଟ ପୂର୍ବରୁ କାହିଁକି ହୁଏ ‘ହାଲଓ୍ବା ରଶମ’

ନୂଆଦିଲ୍ଲୀ,୨୦।୧: ଚଳିତ ବର୍ଷ ଫେବୃୟାରୀ ୧ରେ ଦେଶର ବଜେଟ ଉପସ୍ଥାପନ ହେବ। ୨୦୨୦-୨୧ର ସାଧାରଣ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିଜର ପେଡ଼ି ଖୋଲି ଉପସ୍ଥାପନ କରିବେ। ତେବେ ଏହା ପୂର୍ବରୁ କେତେକ କାର୍ଯ୍ୟର ବିଶେଷ ମହତ୍ତ୍ୱ ରହିଛି। ସେଥିମଧ୍ୟରୁ ‘ହାଲଓ୍ବା ରଶମ’ ଅନ୍ୟତମ। ଭାରତୀୟ ପରମ୍ପରା ଅନୁଯାୟୀ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମୁହଁ ମିଠା କରାଯାଇଥାଏ। ତେଣୁ ଦେଶର ଅର୍ଥବ୍ୟବସ୍ଥାକୁ ସୁଫଳ ଓ ସୁଦୃଢ଼ କରିବା ଆଶାରେ ବଜେଟ କାର୍ଯ୍ୟ ଆରମ୍ଭରୁ ‘ହାଲଓ୍ବା ରଶମ’ କରାଯାଇଥାଏ। ଚଳିତ ବର୍ଷ ବଜେଟର କାଗଜପତ୍ରର ଛପା କାର୍ଯ୍ୟ ସୋମବାର ‘ହାଲଓ୍ବା ରଶମ’ରୁ ଆରମ୍ଭ ହୋଇଛି। ଏହି ରଶମ ଅନୁସାରେ ଲୁହାର ଏକ ବାସନରେ ହାଲଓ୍ବା ତିଆରି କରାଯାଇଥାଏ। ଏଥିପାଇଁ ପ୍ରଥମେ କଢ଼େଇକୁ ଗରମ କରି ସେଥିରେ ଅର୍ଥମନ୍ତ୍ରୀ ଘିଅ ପକାଇ ହାଲଓ୍ବା ପ୍ରସ୍ତୁତ କରିଥାନ୍ତି। ହାଲଓ୍ବା ପ୍ରସ୍ତୁତ ହେବା ପରେ ନିଜ ହାତରେ ବଜେଟର ନେତୃତ୍ୱ ନେଇଥିବା ଅର୍ଥମନ୍ତ୍ରୀ ସମସ୍ତ କର୍ମଚାରୀଙ୍କୁ ପରସିଥାନ୍ତି।

ଏହାପରେ ସମସ୍ତ କର୍ମଚାରୀ ନର୍ଥ ବ୍ଲକ ଭିତରେ ବଜେଟର ଛପା କାର୍ଯ୍ୟରେ ଲାଗିପଡ଼ିଥାନ୍ତି। ସେହି ସମୟରେ କୌଣସି କର୍ମଚାରୀ ନିଜ ଘରକୁ ନ ଯିବା ସହ ବାହାର ଲୋକଙ୍କଠାରୁ ମଧ୍ୟ ଦୂରେଇ ରହିଥାନ୍ତି। ବଜେଟ ଉପସ୍ଥାପନ ପର୍ଯ୍ୟନ୍ତ ସେହି ରୁମ୍‌ରେ କର୍ମଚାରୀମାନେ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରହି ସେମାନଙ୍କ କାର୍ଯ୍ୟ କରିଥାଆନ୍ତି। କେବଳ ସେତିକି ନୁହେଁ ଉକ୍ତ ରୁମ୍‌କୁ ଯିବା ପୂର୍ବରୁ ତାଙ୍କଠାରୁ ଫୋନ୍‌ ନିଆଯାଇଥାଏ। ଫଳରେ ସେମାନେ ଉକ୍ତ ଦିନ ଯାଏ କାହାରିକୁ ବି ସର୍ମ୍ପକ କରିପାରି ନ ଥାନ୍ତି। ଏପରିକି ପରିବାର ସହ ମଧ୍ୟ ସମ୍ପର୍କ କରିବା ପାଇଁ ଅନୁମତି ମିଳି ନ ଥାଏ। ସେଠାରେ ତାଙ୍କ ପାଇଁ ଖାଇବା, ପିଇବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସମସ୍ତ ସୁବିଧା କରାଯାଇଥାଏ। ଆଉ ଏହି ସବୁ କାର୍ଯ୍ୟ ପ୍ରତିବର୍ଷ ବଜେଟ ପୂର୍ବରୁ ହୋଇଥାଏ।

 

Share