ବଜ୍ରକାପ୍ତା ଚାଲାଣ ରୋକିବାକୁ ପ୍ରୟାସ: ସୂଚନା ଦେଲେ ମିଳିବ ୧୦ହଜାର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ବଜ୍ରକାପ୍ତା ଚୋରାଚାଲାଣ ବନବିଭାଗର ନିଦ ହଜାଇ ଦେଇଛି। ବନ୍ୟପ୍ରାଣୀ ଚୋରାଚାଲାଣରେ ବଜ୍ରକାପ୍ତାର ସବୁଠାରୁ ଅଧିକ କାରବାର ହୋଇଥାଏ। ଗତ କିଛିମାସ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା କାରବାରରେ ବଜ୍ରକାପ୍ତା ଉଦ୍ଧାର କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଏହାକୁ ରୋକିବା ଲାଗି ବନବିଭାଗ ବଡ଼ ପଦକ୍ଷେପ ନେଇଛି। ଏଣିକି ବଜ୍ରକାପ୍ତା ଚାଲାଣ ସମ୍ପର୍କରେ ସୂଚନା ଦେଲେ ୧୦ ହଜାର ଟଙ୍କା ପୁରସ୍କାର ରାଶି ମିଳିବ। ଏହାଛଡ଼ା ଚାଲାଣକାରୀଙ୍କ ଫଟୋ ଥାନା ଓ ବନଖଣ୍ଡ କାର୍ଯ୍ୟାଳୟରେ ଲଗାଯିବ। ଏନେଇ ଆଠଗଡ଼ ଡିଏଫ୍‌ଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି।
ପୂର୍ବରୁ ଆଠଗଡ଼ ଅଞ୍ଚଳରୁ ବଜ୍ରକାପ୍ତା ଚୋରାଚାଲଣ ଅଭିଯୋଗରେ ବିଭିନ୍ନ ପର୍ଯ୍ୟାୟରେ ୧୨ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ରିମାଣ୍ଡରେ ଆଣି ବନବିଭାଗ ପଚରାଉଚୁରା ମଧ୍ୟ କରିଛି। ସେପଟେ ସୋସିଆଲ ମିଡିଆରେ ବଜ୍ରକାପ୍ତା ବେପାର ଚାଲିଥିବାବେଳେ କିଛିଦିନ ପୂର୍ବେ ବନବିଭାଗ ଏହାର ସୁରାକ୍‌ ପାଇଥିଲା। ଏନେଇ ଚୋରାଚାଲାଣକାରୀଙ୍କୁ ଧରିବା ଲାଗି ଅପରେଶନ ଆରମ୍ଭ କରାଗଲା। ଏହି କ୍ରମରେ ପ୍ରତ୍ୟେକ ଦିନ ନୂତନ ତଥ୍ୟ ସାମ୍ନାକୁ ଆସିଥିଲା। ଚାଲାଣକାରୀ ବଜ୍ରକାପ୍ତା ଉପରେ ୧୦ ଟଙ୍କିଆ ନୋଟ୍‌ ରଖୁଥିବା ସୋସିଆଲ ଭିଡିଓରେ ଦେଖିବାକୁ ମିଳିଥିଲା, ଯାହାର ଅର୍ଥ ବଜ୍ରକାପ୍ତାର ଓଜନ ୧୦ କିଲୋ। ସେହିପରି ଏହାର ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଯିଏ ବଜ୍ରକାପ୍ତା ନେବେ, ସେ ଏକ ନୋଟ୍‌ ବଜ୍ରକାପ୍ତା ଚାଲାଣକାରୀଙ୍କ ନିକଟକୁ ପଠାଇବା ସହ ଏହାର ନମ୍ବର ରଖିବେ। ଚାଲାଣକାରୀ ସେଇ ନୋଟ୍‌କୁ ବଜ୍ରକାପ୍ତା ଉପରେ ରଖି ଭିଡିଓ ପ୍ରସ୍ତୁତ କରି ଗ୍ରାହକଙ୍କ ନିକଟକୁ ପଠାଇବେ। ଏହା ହେଉଛି ଚାଲାଣକାରୀଙ୍କ ନିକଟରେ ବଜ୍ରକାପ୍ତା ରହିଥିବାର ଗ୍ରାହକଙ୍କ ପାଇଁ ପ୍ରମାଣ। ଏହାପରେ ବଜ୍ରକାପ୍ତା ନେଇ ଡିଲ୍‌ ଚୂଡ଼ାନ୍ତ ହୁଏ। ସେହିପରି ଅନ୍ୟ ଏକ ଭିଡିଓରେ ବଜ୍ରକାପ୍ତା ଦେହରେ ଟେଷ୍ଟର ଲଗାଯାଉଥିବା ଦେଖିବାକୁ ମିଳିଛି। ତେବେ ଏହାର ଅର୍ଥ ଏ ଯାଏ ସ୍ପଷ୍ଟ ହୋଇନାହିଁ। ଏପଟେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଏକ ବଡ଼ ର଼୍ୟାକେଟ୍‌ର ସନ୍ଧାନ ପାଇଛି ବନବିଭାଗ। ମୋବାଇଲ ଫୋନ୍‌ ତଥ୍ୟ ଆଧାରରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ରବିବାର ଗିରଫ କରାଯାଇଛି। ର଼୍ୟାକେଟ୍‌ରେ ୨୫ରୁ ୩୦ ଜଣ ସଂପୃକ୍ତ ଥିବା ସୂଚନା ମିଳିଛି।

Share