ବଜ୍ରପାତରେ ଜଳିଗଲା ଗଛ

ପାଟଣା, ୨୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ଘଟିଛି। ତୁରୁମୁଙ୍ଗା ଅଞ୍ଚଳରେ ପ୍ରବଳ ବେଗରେ ପବନ ବହିବା ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ବଡ଼ ବଡ଼ ବହୁ ପୁରାତନ ଗଛଗୁଡିକ ଭାଙ୍ଗି ପଡିବା ସହ ବହୁ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଥିଲା। ତୁରୁମୁଙ୍ଗା କ୍ଲବ ନିକଟରେ କିଶୋର ଚନ୍ଦ୍ର ସାହୁଙ୍କ ଦୋକାନ ଉପରେ ଏକ ବଡ଼ ବରଗଛ ଉପୁଡି ପଡିବାରୁ ସେ ଦୋକାନ ଭିତରେ ଫଶି ରହିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଦୋକାନ ଭିତରୁ ଅକ୍ଷତ ଭାବେ ଉଦ୍ଧାର କରିଛନ୍ତି। ଅନୁରୂପ ଭାବେ ତୁରୁମୁଙ୍ଗା ରାଜନଗର ରାସ୍ତାର କଇଣ୍ଡା ରାସ୍ତାରେ ଗଛ ପଡ଼ି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିପଡିଛି। ବଜ୍ରପାତ ଯୋଗୁ ତେନ୍ତେଳା ଗ୍ରାମରେ ଥିବା ଏକ ଶୁଖିଲା ଗଛରେ ନିଆଁ ଲାଗିଯାଇଥିଲା। ସେହିପରି କଇଣ୍ଡା ଗ୍ରାମର ସରୋଜ ଦେହୁରୀଙ୍କ ଘର ଉପରେ ଏକ ଆକାଶିଆ ଗଛ ପଡିଯାଇଥିବାରୁ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଘରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥିସହ ତୁରୁମୁଙ୍ଗା ଗ୍ରାମର ଯଦୁମଣି ଲେଙ୍କାଙ୍କ ପାଚେରି ମଧ୍ୟ ଭାଙ୍ଗିବା ସହିତ ଅନେକ ଘରର ଚାଳଛପର ଉଡିଯାଇଛି। ଘଟଣାସ୍ଥଳରେ ପାଟଣା ଓ କେନ୍ଦୁଝର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ସହିତ ପଡିଥିବା ଗଛକୁ କାଟି ଯାତାୟାତ ସ୍ବାଭାବିକ କରିବାରେ ଲାଗିଛନ୍ତି। ଖୁବ୍‌ଶୀଘ୍ର କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ତୁରୁମୁଙ୍ଗା ସରପଞ୍ଚ ଉମେଶ ଦେହୁରୀ ଦାବି କରିଛନ୍ତି।