ଟାଙ୍ଗୀ(ଖୋର୍ଦ୍ଧା),୧୫ା୭(ଡି.ଏନ୍.ଏ.): ଟାଙ୍ଗୀ ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଦୁଇ ଯୁବକଙ୍କ ଜୀବନ ନେବା ସହ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଝରିଆ ଗ୍ରାମର ତୁଷାର ପଲେଇ(୧୯) ଓ ଟାଙ୍ଗୀ ଗ୍ରାମର ଚିତ୍ତରଞ୍ଜନ ରାଉତ(୩୮)। ଏଥିରେ ସୁଜିତ ସ୍ବାଇଁ, ଦୀପକ ପଲେଇ ଓ ଅନିଲ ମହାନ୍ତି ଗୁରୁତର ହୋଇଛନ୍ତି। ଘଟଣାରୁ ପ୍ରକାଶ, ରବି ଫସଲ ନିମନ୍ତେ ଜମିରେ ପାଣି ବନ୍ଧାଇବା କାମ କରୁଥିବାବେଳେ ଝରିଆର ତୁଷାର, ସୁଜିତ୍, ଦୀପକ ଓ ଟାଙ୍ଗୀର ଚିତ୍ତରଞ୍ଜନ ଓ ଅନିଲଙ୍କ ଉପରେ ବଜ୍ରପାତ ହେବାରୁ ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଡାକ୍ତର ତୁଷାର ଓ ଚିତ୍ତରଞ୍ଜନଙ୍କୁ ମୃତ ଘୋଷଣା କରିଥିବାବେଳେ ଗୁରୁତରମାନଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ଟାଙ୍ଗୀ ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଛି । ଏହି ଅଭାବନୀୟ ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଚିତ୍ତରଞ୍ଜନ ଜଣେ ଗରିବ ହୋଇଥିବାରୁ ସ୍ତ୍ରୀ ଓ ୨ଟି ଛୋଟଛୁଆଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।