ବଜ୍ରପାତ ନେଲା ୬ ଗୋରୁଙ୍କ ଜୀବନ

ଖପ୍ରାଖୋଲ,୨୫ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ପବନ ବର୍ଷା ସାଙ୍ଗକୁ ବଜ୍ରପାତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବ୍ଲକ ଅନ୍ତର୍ଗତ ଚାଉଳବାଂଜି ଗାଁରେ ବଜ୍ରପାତରେ ୬ ଗୋରୁଙ୍କର ମୃତ୍ୟୁ ଘଟିଛି। ଅପରାହ୍ନରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ଚାଉଳବାଂଜି ଗାଁର ଅନେକ ଗୋରୁ ଗାଁ ମୁଣ୍ଡ ବରଗଛ ମୂଳେ ରହି ଯାଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଅନଙ୍ଗ ଧରୁଆ, ବଂଶୀ ନିଆଲ, ପବିତ୍ର ନିଆଲ, ମୂରଲୀ ଧରୁଆଙ୍କ ଗୋଟିଏ ଲେଖାଏ ବଳଦ ଏବଂ ଚୂଡା ଖର୍ସେଲଙ୍କ ବଳଦ ଏବଂ ବାଛୁରୀର ମୃତ୍ୟୁ ହୋଇଯାଇଥିଲା। ସେହିପରି କାଳବୈଶାଖୀ ଯୋଗୁଁ ଗଛ ଭାଙ୍ଗି ବାଘମୁଣ୍ଡ ପଞ୍ଚାୟତ ହିର୍ଲି ଗାଁରେ ଗୋଟିଏ ବଳଦର ମତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଟି ବଳଦ ଗୁରୁତର ହୋଇଛନ୍ତି। କୁଆପଥର ବର୍ଷା ଯୋଗୁଁ ବ୍ୟାପକ ରବିଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି। ସେହିପରି ବଜ୍ରପାତ ଯୋଗୁଁ ଦମେଇପାଲି ଗାଁ ଜଗନ୍ନାଥ ମନ୍ଦିରର ଦଧିନଉତିର ଧ୍ୱଜା ଉଡିଜିବା ସହ କିଛି ଇଟା ମଧ୍ୟ ଭାଙ୍ଗି ପଡିଛି।

Share