ବଟି ନ ଦେବାରୁ ଘରେ ପଶି ଦମ୍ପତିଙ୍କୁ ହାଣିବା ଘଟଣା: ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର, କନ୍‌ଷ୍ଟେବଳ ନିଲମ୍ବିତ

ପୁରୀ ଅଫିସ, ୧୦ା୧୦: ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ପୋଲିସ ହେଲ୍‌ପ ଲାଇନ୍‌ର କନ୍‌ଷ୍ଟେବଳ ସୁଶାନ୍ତ ଭୁଜବଳଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବିତ କରାଯାଇଛି। ଅଭିଯୋଗକାରୀଙ୍କ ଅଭିଯୋଗ ଏବଂ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭିତ୍ତିକରି ଭୁଜବଳଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ପୁରୀ ସଦର ଥାନା ଅଧୀନ ମଙ୍ଗଳାଘାଟ ଗୋଲାସାହିରେ ଶନିବାର ଶରତ ଚନ୍ଦ୍ର ମିଶ୍ରଙ୍କ ଘରେ ୩ଜଣ ଦୁର୍ବୃତ୍ତ ପଶି ତାଙ୍କୁ ଓ ତାଙ୍କ ସ୍ତ୍ରୀ ସୁସ୍ମିତା ରଥଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ସମୟରେ ସୁସ୍ମିତା ୧୦୦ ନମ୍ବରକୁ ଡାଏଲ କରି ପୋଲିସ ସହାୟତା ମାଗିଥିଲେ। ୩ଥର ଡାଏଲ କରିବା ପରେ ସେପଟୁ ଭୁଜବଳ ଫୋନ୍‌ ରିସିଭ କରିଥିଲେ, କିନ୍ତୁ ଅଭିଯୋଗକୁ ଗୁରୁତ୍ୱ ଦେଇ ନ ଥିଲେ। ଲହୁଲୁହାଣ ଅବସ୍ଥାରେ ପଡ଼ିରହିଥିବା ଏହି ଦମ୍ପତିଙ୍କୁ କନଷ୍ଟେବଳ ଭୁଜବଳ ସହାୟତା ଯୋଗାଇବାକୁ ପଦକ୍ଷେପ ନେବା ପରିବର୍ତ୍ତେ ଦୁର୍ବ୍ୟବହାର କରିଥିଲେ। ଏ ନେଇ ଶରତ ସଦର ଥାନାରେ ଅଭିଯୋଗ କରିଥିଲେ। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାପରେ ଏସ୍‌ପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ କ୍ରମେ ସଦର ପୋଲିସ ଏହି ଘଟଣାର ତଦନ୍ତ କରି ତାଙ୍କୁ ରିପୋର୍ଟ ଦେଇଥିଲେ। ଏହାକୁ ଭିତ୍ତିକରି ଏସ୍‌ପି ଦାଶ କନଷ୍ଟେବଳ ଭୁଜବଳଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

Share