ବଡଦାଣ୍ଡରେ ଆକର୍ଷଣ ସାଜିଲେ ବିଭିନ୍ନ ବେଶଧାରୀ

ପୁରୀ ଅଫିସ, ୧୨ା୭: ବାହୁଡା ଯାତ୍ରାରେ କାଳିଆ ସାଆନ୍ତ ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ପବିତ୍ର ଯାତ୍ରା ଲାଗି ଲୋକାରଣ୍ୟ ହୋଇଉଠିଥିଲା ବଡଦାଣ୍ଡ। ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ରଥ ସମ୍ମୁଖରେ ବିଭିନ୍ନ ବେଶଧାରୀମାନେ ନୃତ୍ୟ ପରିବେଶଣ କରି ଶ୍ରଦ୍ଧାଳୁମାନଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିଥିଲେ।
ଶ୍ରୀକୃଷ୍ଣବେଶଧାରୀ ପ୍ରଦୀପ
ବ୍ରହ୍ମପୁର ଗୋସାଇଁ ନୂଆଗଁ। ଗୋକୁଳଧାମରେ ସେବାୟତ ଭାବେ କାର୍ଯ୍ୟରତ ଯୁବ କୃଷ୍ଣପ୍ରେମୀ ପ୍ରଦୀପ ପାତ୍ର। ଶରଧାବାଲିରେ ତିନି ରଥ ଆଗରେ କୃଷ୍ଣବେଶ ଧାରଣ କରିଥିବାରୁ ପ୍ରଦୀପ ବେଶ୍‌ ବାରି ହୋଇପଡ଼ୁଥିଲେ। କିଏ ତାଙ୍କ ସହିତ ସେଲଫ୍‌ି ନେଉଥିଲା ତ, ଆଉ କିଏ ହାତ ଯୋଡି ପ୍ରଣାମ କରୁଥିଲା। ପିଲାବେଳୁ ଏକ ଆଧ୍ୟାତ୍ମିକ ପରିବେଶରେ ବଢିଥିବା ପ୍ରଦୀପ ଗତ ୮ବର୍ଷ ହେବ ବାହୁଡାରେ ପୁରୀ ଆସୁଛନ୍ତି। ସେ କୁହନ୍ତି, ମହାପ୍ରଭୁଙ୍କୁ ପ୍ରଥମ କରି ଦର୍ଶନ କରିବା ପରେ ତାଙ୍କ ମୋହରେ ପଡିଯାଇଥିଲି। ଏଠାରେ ଅପୂର୍ବ ଆନନ୍ଦ ମିଳେ। ଲୀଳାମୟ ଠାକୁରଙ୍କ ଡୋରି ମୋତେ ଏଠାକୁ ଟାଣିଆଣିଥାଏ।
ଆକର୍ଷଣ ସାଜିଲେ କୁନି ଦୁର୍ଗା
ମହାପ୍ରଭୁଙ୍କ ପହଣ୍ଡି ସମୟରେ ବହୁ ଓଡ଼ିଶୀ ନୃତ୍ୟଶିଳ୍ପୀ ସେମାନଙ୍କ ନୃତ୍ୟ ପରିବେଷଣ କରିଥିଲେ। ଏମାନଙ୍କ ମଧ୍ୟରେ ଆକର୍ଷଣ ସାଜିଥିଲେ ଶ୍ରୀମନ୍ଦିର ସେବାୟତ ରାମକୃଷ୍ଣଙ୍କ ୫ବର୍ଷର କୁନି ଝିଅ ଅଭିଲିପ୍ସା। କୁନି କାନ୍ଧରେ ସାହିଯାତର ପାରମ୍ପରିକ ଦୁର୍ଗାମେଢ଼ ଧାରଣ କରି ସମସ୍ତଙ୍କୁ ବିମୋହିତ କରିଥିଲେ। ଦୁର୍ଗା ରୂପରେ ଅଭିଲିପ୍ସାଙ୍କ ନୃତ୍ୟାଭିନୟ ଅଗଣିତ ଭକ୍ତଙ୍କୁ ଆକର୍ଷିତ କରିଥିଲା। ଶରଧାବାଲିରେ ତାଙ୍କ ନୃତ୍ୟାଭିନୟ କୋଟି କୋଟି ଭକ୍ତଙ୍କୁ ବିମୋହିତ କରିଥିଲା।
ଭାଇଭଉଣୀ ପାଲଟିଲେ ରାମସୀତା
ତାଲଚେରରୁ ଆସିଛନ୍ତି ଶିବାନନ୍ଦ ସାହୁ ଓ ତାଙ୍କ ଭଉଣୀ ଶୁଭଲକ୍ଷ୍ମୀ। ଗତ କିଛି ବର୍ଷ ଧରି ସମ୍ପର୍କୀୟ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଶ୍ରୀକୃଷ୍ଣ ମେହରଙ୍କ ସହିତ ଭାଇ ଭଉଣୀ ବାହୁଡା ସମୟରେ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। ଭାଇ ଶ୍ରୀରାମ ଏବଂ ଭଉଣୀ ସୀତା ରୂପରେ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ଶ୍ରୀକୃଷ୍ଣ ନିଜକୁ ହନୁମାନ ବେଶରେ ସଜାଇ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ସେ କୁହନ୍ତି, ହନୁମାନ ଯେପରି ଶ୍ରୀରାମଙ୍କ ଜଣେ ଅନନ୍ୟ ଭକ୍ତ, ମୁଁ ସେପରି କାଳିଆ ଠାକୁରଙ୍କ ଜଣେ ସାଧାରଣ ଭକ୍ତ। କାଳିଆର ଡୋରି ମୋତେ ଏଠାକୁ ଟାଣି ଆଣିଥିଲା। ମୁଁ ଜଣେ ରାମ ଭକ୍ତ। ମହାପ୍ରଭୁଙ୍କୁ ଶ୍ରୀରାମ ରୂପରେ ଦର୍ଶନ କରିଥାଏ। ଏଣୁ ନିଜକୁ ହନୁମାନ ବେଶରେ ସଜାଇ ଭକ୍ତ ଭାବେ ତାଙ୍କ ନିକଟକୁ ଆସିଥାଏ ବୋଲି କହିଥିଲେ।

Share