ବଡ଼ଗଡ଼ରେ ମୁଣ୍ଡ ଟେକୁଛି ବଡ଼ ଗ୍ୟାଙ୍ଗ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ଖେଳାଇବା ଘଟଣାରେ ରବିବାର ପୋଲିସ ଆଉ ୩ଜଣ ନାବାଳକଙ୍କୁ ଧରିଛି। ପୂର୍ବରୁ ୧୮ଜଣ ଗିରଫ ହୋଇଥିବାବେଳେ ଏବେ ଏହି ସଂଖ୍ୟା ୨୧ରେ ପହଞ୍ଚତ୍ଛି। ତେବେ ଏହି ଘଟଣାର ଖୋଳତାଡ଼ ବେଳେ ପୋଲିସକୁ ବଡ଼ ସୁରାକ ମିଳିଛି। ରାଜଧାନୀରେ ରାଜ୍‌ କରିବାକୁ ବଡ଼ଗଡ଼ ଥାନାଞ୍ଚଳରେ ଏକ ବଡ଼ ଗ୍ୟାଙ୍ଗ୍‌ ମୁଣ୍ଡ ଟେକିଥିବା ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍‌ ତା’ର ଉପସ୍ଥିତି ଜାହିର କରିବା ପାଇଁ ମାର୍କେଟ ବିଲ୍ଡିଂ ପରି ପୂର୍ବରୁ ବହୁ ଅପରାଧ ଘଟାଇଛି। ତେବେ ମାଷ୍ଟରମାଇଣ୍ଡ୍‌ ଚିଣ୍ଟୁ ରହିଥିବାବେଳେ ଗୋପୀ ଓ ପ୍ରୀତମଙ୍କ ସହ ମିଶି ଗ୍ୟାଙ୍ଗ୍‌ ଚଳାଉଥିବା ପୋଲିସ ଜାଣିବାକୁ ପାଇଛି। ଏହି ୩ ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ଥିବାରୁ ସେମାନଙ୍କୁ ଧରିବା ପରେ ଗ୍ୟାଙ୍ଗ୍‌ ସମ୍ପର୍କରେ ଆହୁରି ବହୁ ତଥ୍ୟ ମିଳିପାରିବ ବୋଲି କମିଶନରେଟ ପୋଲିସ ଆଶା ରଖିଛି। ତେବେ ଏବେସୁଦ୍ଧା ପୋଲିସକୁ ମିଳିଥିବା ତଥ୍ୟ ଅନୁସାରେ ଏହି ଗ୍ୟାଙ୍ଗ୍‌ ବିଶେଷକରି ବସ୍ତିର ଗରିବ ଯୁବକ ଓ ନାବାଳକଙ୍କୁ ଗ୍ୟାଙ୍ଗ୍‌ରେ ସାମିଲ୍‌ କରି ବିଭିନ୍ନ ଅପରାଧରେ ଲଗାଇଥାଏ। ଏପରି କି ମାର୍କେଟ ବିଲ୍ଡିଂରେ ଏପରି ଆତଙ୍କ ସୃଷ୍ଟି କରିବା ପଛରେ ସେମାନଙ୍କର ଦାଦା ବଟି ଲକ୍ଷ୍ୟ ରହିଥିବା କୁହାଯାଉଛି। ସେହିଭଳି ନିଶା କାରବାରରେ ନାବାଳକଙ୍କୁ ମଧ୍ୟ ନିୟୋଜିତ କରାଯାଇଥିବା ମଧ୍ୟ ସୂଚନା ମିଳିଛି।
ନାବାଳକଙ୍କ ମୁହଁରେ ‘ଭାଇ’
ଚିଣ୍ଟୁ ଇତିମଧ୍ୟରେ ବହୁ ଅପରାଧ ଘଟାଇ ‘ଭାଇ’ ନାଁରେ ରାଜ୍‌ ଆରମ୍ଭ କରିଛନ୍ତି। ଗ୍ୟାଙ୍ଗ୍‌ର ସଦସ୍ୟମାନେ ତାଙ୍କୁ ଭାଇ ବୋଲି ସମ୍ବୋଧନ କରୁଥିଲେ। ଧରାପଡ଼ିଥିବା ନାବାଳକଙ୍କୁ ପଚରାଉଚରାବେଳେ ସେମାନେ ଚିଣ୍ଟୁଙ୍କ ବିଷୟରେ ବହୁ ତଥ୍ୟ ପୋଲିସକୁ ଦେଇଛନ୍ତି। ପ୍ରଥମେ ଚିଣ୍ଟୁ କଲେଜ ଓ ସ୍କୁଲ୍‌ ପିଲାଙ୍କୁ ସହାୟତା ବାହାନାରେ ନିକଟତର ହୁଅନ୍ତି। ତା’ପରେ ସେମାନଙ୍କୁ ବିଭିନ୍ନ ସମୟରେ ଟଙ୍କା ପଇସା ଦେଇ ବଡ଼ ଭାଇପରି ବ୍ୟବହାର ଦେଖାନ୍ତି। ତାଙ୍କୁ ମଧ୍ୟ ସେମାନେ ଭାଇ ବୋଲି ଡାକିବା ଆରମ୍ଭ କରନ୍ତି। ଏପରିି କି ଯେତେବେଳେ ଚିଣ୍ଟୁ ଯେଉଁଠିକୁ ଯାଇଥାନ୍ତି, ଯୁବକ ଓ ନାବାଳକମାନେ ତାଙ୍କ ଚାରିପଟେ ଭାଇ ଭାଇ ବୋଲି ଡାକି ଡାକି ଯାଇଥାନ୍ତି। ସମୟକ୍ରମେ ଚିଣ୍ଟୁଙ୍କ ଅପରାଧ ସାମ୍ରାଜ୍ୟ ସହ ସେମାନେ ଛାଏଁ ଯୋଡ଼ି ହୋଇଯାନ୍ତି।

Share