ବଡ଼ଚଣାରେ ଲଗାଣ ବର୍ଷା: ଜୀବନ ଯାତ୍ରା ଠପ୍‌

ଚଣ୍ଡିଖୋଲ,୨୪।୧୦(ଡି.ଏନ.ଏ)- ଯାଜପୁର ଜିଲା ବଡ଼ଚଣାରେ ଲଗାଣ ବର୍ଷା ବୁଧବାରଠାରୁ ଦୁଇଦିନ ହେଲା ଲାଗି ରହିଥିବାରୁ ଜୀବନ ଯାତ୍ରା ଏନେଇ ଠପ୍‌ ହୋଇଯାଇଛି। ବୁଧବାର ରାତି ୮ଟାରୁ ଗୁରୁବାର ସକାଳ ୯ଟା ପର୍ଯ୍ୟନ୍ତ ୯୫ ମି.ମି. ବର୍ଷା ହୋଇଥିବା ସରକାରୀ ଭାବେ ରେକର୍ଡ଼ କରାଯାଇଛି। ଦୁଇଦିନ ଅଙ୍ଗନବାଡ଼ି ଓ ସ୍କୁଲଗୁଡ଼ିକୁ ସରକାର ଛୁଟି ଘୋଷଣା କରିଥିବାବେଳେ ବହୁ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇଛି। ଏହି ବ୍ଲକର ୧୬ନଂ ଜାତୀୟ ରାଜପଥ ବନ୍ଦାଳଠାରୁ ବଡ଼ଚଣା ପର୍ଯ୍ୟନ୍ତ ଧାନଚାଷ ଜମିରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି। ସେହିଭଳି ବିରି, କୋଳଥ ଆଦି ଫସଲ ବୁଣା ହୋଇଥିବା ଚାଷ ଜମି ବର୍ଷା ଜଳରେ ବୁଡ଼ି ରହିଛି। ମାଣ୍ଡୁକା, ଅଚ୍ୟୁତବସନ୍ତ ପାହାଡ଼ର ତଳି ଦେଶରେ ଚାଷ ଜମିରେ ପାଣି ଲହଡ଼ି ଭାଙ୍ଗୁଛି। ଏହି ବ୍ଲକ ବରପଦା, ତାଳୁଆ, ନିଆଳି, ଜନକ, ବାଲିକୁଦା, ଭରତପୁର ଆଦି କେତେକ ଗ୍ରାମ୍ୟ ରାସ୍ତାରେ ପାଣି ଚାଲୁଛି।