ବଡ଼ଦିନ ପାଇଁ ସଜେଇ ହେଲାଣି ଚର୍ଚ୍ଚ: କ୍ରିସ୍‌ମାସ୍‌ କ୍ୟାରୋଲରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ସରିଲାଣି କ୍ରିସ୍‌ମାସ ପ୍ରସ୍ତୁତି। ବଡ଼ଦିନକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ରଙ୍ଗିନ ଆଲୋକମାଳାରେ ଝଲସିଲାଣି ସହର। ଚର୍ଚ୍ଚଗୁଡ଼ିକରେ ଉତ୍ସବର ପରିବେଶ ସାଙ୍ଗକୁ ଆରମ୍ଭ ହୋଇଗଲାଣି ସାଜସଜ୍ଜା ଓ କ୍ରିସ୍‌ମାସ୍‌-ଟ୍ରୀ ପ୍ରସ୍ତୁତି କାମ। ଏପଟେ ରାଜଧାନୀରେ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିବସକୁ ପାଳନ କରିବା ତଥା ତାଙ୍କ ଜନ୍ମ ମୁହୂର୍ତ୍ତରେ ଉତ୍ସବ ମନାଇବାକୁ ପ୍ରସ୍ତୁତ ହେଲେଣି ସହରବାସୀ। କ୍ରିସ୍‌ମାସ ପାଇଁ ଆକର୍ଷଣୀୟ ସାମଗ୍ରୀକୁ ନେଇ ଏକାଧିକ ସିଜିନ ସେଣ୍ଟର ଖୋଲିଥିବାବେଳେ ବଜାରରେ ଉପଲବ୍ଧ ହେଉଛି ଭଳିକିଭଳି କ୍ରିସ୍‌ମାସ-କେକ୍‌।
କ୍ରିସ୍‌ମାସ୍‌ ପାଇଁ ରାଜଧାନୀର ଦୁଇ ପ୍ରମୁଖ ଚର୍ଚ୍ଚ ୟୁନିଟ୍‌-୪ ଓ ସତ୍ୟନଗରସ୍ଥିତ କ୍ୟାଥୋଲିକ୍‌ ଚର୍ଚ୍ଚରେ ବିଶେଷ ପ୍ରସ୍ତୁତି କରାଯାଇଛି। ଏନେଇ ସୋମବାର ସୁଦ୍ଧା ସାଜସଜ୍ଜା ଓ କ୍ରିସ୍‌ମାସ-ଟ୍ରୀ ନିର୍ମାଣ ସହ ଅନ୍ୟାନ୍ୟ ପ୍ରସ୍ତୁତି ଶେଷ ହୋଇଛି। ରଙ୍ଗିନ ଆଲୋକମାଳାରେ ଉଭୟ ଚର୍ଚ୍ଚ ସଜ୍ଜା ଯାଇଥିବାବେଳେ କ୍ରିସ୍‌ମାସ ପର୍ବ ପାଇଁ ରହିଥିବା ନୀତି ଓ ନିୟମ ଅନୁସାରେ ଚର୍ଚ୍ଚଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସମୟ ସ୍ଥିର କରିଛନ୍ତି। ଚର୍ଚ୍ଚରେ ସାଜସଜ୍ଜା କାମ ପ୍ରାୟତଃ ଶେଷ ହୋଇଆସୁଥିବାବେଳେ ଏବେ ପିଲାମାନଙ୍କୁ ନେଇ କ୍ରିସ୍‌ମାସ କ୍ୟାରୋଲ ଏବଂ ନୃତ୍ୟାଭ୍ୟାସ କରାଯାଉଥିବା କ୍ୟାଥୋଲିକ୍‌ ଚର୍ଚ୍ଚର ଜଣେ ସଦସ୍ୟ କହିଛନ୍ତି। ଏଥିରେ ସମସ୍ତେ ଖୁସିରେ ଯୋଗ ଦେଉଛନ୍ତି। ଧୁମ୍‌ଧାମର ସହ ପର୍ବକୁ ପାଳନ କରିବାକୁ ସମସ୍ତେ ଉତ୍ସାହିତ ଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟନଗରସ୍ଥିତ ସେଣ୍ଟ୍‌ ଭିନ୍‌ସେଣ୍ଟ ପ୍ରୋ-କ୍ୟାଥେଡ୍ରାଲ୍‌ ଚର୍ଚ୍ଚରେ ଆୟୋଜିତ କ୍ରିସ୍‌ମାସ କ୍ୟାରୋଲ୍‌ରେ ଯୋଗଦେଇଥିଲେ। ଏହି ଅବସରରେ ସେ ଚର୍ଚ୍ଚ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେକ୍‌ କାଟିବା ସହ କୁନି କୁନି ପିଲାମାନଙ୍କ ସହ କିଛି ସମୟ ଅତିବାହିତ କରିଥିଲେ। ବିଭିନ୍ନ ବେଶପୋଷାକରେ ସଜ୍ଜିତ ହୋଇ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିଲେ ଏବଂ ବାର୍ତ୍ତାଳାପ କରିଥିଲେ। ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ସଂଖ୍ୟାଲଘୁ ବ୍ୟାପାର ଉପଦେଷ୍ଟା ମୁନ୍ନା ଖାନ୍‌ ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Share