Categories: ଜାତୀୟ

ବଡ଼ଧରଣର ମାଓବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ୬୪ ଆଇଇଡି ନିଷ୍କ୍ରିୟ

ଚାଇବାସା, ୧୩।୬: ଝାଡ଼ଖଣ୍ଡର ଚାଇବାସା ଜିଲାରେ ବଡ଼ଧରଣର ମାଓବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ପାଇଁ ମାଓବାଦୀମାନେ କରିଥିବା ଯୋଜନା ଫସର ଫାଟିଯାଇଛି। ପୋଲିସ ଏବଂ ସିଆର୍‌ପିଏଫ୍‌ ଯବାନମାନଙ୍କ ଦ୍ୱାରା ଗୋଏଲାକେଣ୍ଡା ଥାନା ଅନ୍ତର୍ଗତ ହାଥିବୁଡୁ କଚ୍ଚା ଏବଂ କୁଇଡ଼ା ଗାଁକୁ ଯୋଗାଯୋଗ କରୁଥିବା ମାଟିରାସ୍ତାରୁ ପୋତାଯାଇଥିବା ୬୪ ଆଇଇଡି ଉଦ୍ଧାର କରାଯାଇଛି। ସେଥିମଧ୍ୟରେ ୨୦ କିଲୋଗ୍ରାମ ବିଶିଷ୍ଟ ୪୦ଟି ଆଇଇଡି ରହିଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ନିକଟସ୍ଥ ଅନ୍ୟ ଏକ ସ୍ଥାନରୁ ୨୪ଟି ଆଇଇଡି ମିଳିଛି। ଏସବୁ ଆଇଇଡିକୁ ନିଷ୍କ୍ରିୟ କରି ଦିଆଯାଇଛି। ଆଇଇଡି ଉଦ୍ଧାର ସମୟରେ ନିକଟସ୍ଥ ଏକ ପାହାଡ଼ ଉପରୁ ପୋଲିସ ଏବଂ ସିଆର୍‌ପିଏଫ୍‌ ଯବାନମାନଙ୍କ ଉପରକୁ ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ତେବେ ଏଥିରେ ପୋଲିସ ଏବଂ ସିଆର୍‌ପିଏଫ୍‌ ଯବାନମାନଙ୍କର କୌଣସି କ୍ଷତି ହୋଇ ନ ଥିବା କୁହାଯାଉଛି।

Share