ବଡ଼ବିଲ ବାଇପାସ୍‌ ରିଂରୋଡ୍‌ ଦାବି : ତହସିଲ କାର୍ଯ୍ୟାଳୟ ପହଞ୍ଚିଲା ସିଭିଲ ସୋସାଇଟି

ବଡ଼ବିଲ,୧୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସହରକୁ ଟ୍ରାଫିକ ସମସ୍ୟାମୁକ୍ତ କରିବାକୁ ଏକ ବାଇପାସ୍‌ ରିଂରୋଡ଼ ନିର୍ମାଣ ଦାବି ଅଞ୍ଚଳରେ ଜୋର୍‌ ଧରିଛି। ଏ ନେଇ ପୂର୍ବରୁ ବଡ଼ବିଲ ସିଭିଲ ସୋସାଇଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ ପ୍ରେରଣ କରିବା ସହ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ପତ୍ରାଳାପ କରିଥିଲା। ତେବେ ସୋମବାର ପୂର୍ବାହ୍ନରୁ ରାଜ୍ୟ ସୀମାନ୍ତ ନାଲଦାରୁ ୮କିମି. ଦୂର ଏକ ବିଶାଳ ପଦଯାତ୍ରା ଆରମ୍ଭ କରାଯାଇଥିଲା। ଏହି ପଦଯାତ୍ରାରେ ଅଞ୍ଚଳର ବିଭିନ୍ନ ସଙ୍ଗଠନ ସାମିଲ ହୋଇ ତହସିଲ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଦାବି ନେଇ ସ୍ଲୋଗାନମାନ ଦେଇଥିଲେ। ତେବେ ଆସନ୍ତା ମଙ୍ଗଳବାରଠାରୁ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରି ଗଣଧାରଣା ଦେବ ବୋଲି ସୋସାଇଟି ଆବାହକ ଅଶୋକ ଠକର କହିଛନ୍ତି । ଏହି ଆନ୍ଦୋଳନରେ ସଂଜୀବନୀ ମହିଳା ସମିତି, ମା’ ଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ ପ୍ରମୁଖ ସାମିଲ ଥିଲେ।