ବଡ଼ଭାଇଙ୍କ ଭୁଜାଲି ଚୋଟରେ ସାନଭାଇଙ୍କ ଜୀବନଗଲା

ଅତାବିରା,୩୧।୭(ଡି.ଏନ୍‌.ଏ.) : ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଟାଙ୍ଗରପାଲି ପଞ୍ଚାୟତର ତଲାକଟା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଅଜୟ ଲାକ୍ରା (୩୫)ଙ୍କୁ ତାଙ୍କ ବଡ଼ଭାଇ ଫକୀର ଲାକ୍ରା ଏକ ଭୁଜାଲିରେ ଆକ୍ରମଣ କରିବାରୁ ତାଙ୍କର ଜୀବନ ଚାଲିଯାଇଛି। ଆକ୍ରମଣରେ ଅଜୟ ଗୁରୁତର ହେବାରୁ ପରିବାର ଲୋକେ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ନେଉଥିଲେ। ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଅତାବିରା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ଫେରାର ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି।

Share