ବଡ଼ଭାଇ ଟାଙ୍ଗିଆ ଚୋଟରେ ସାନଭାଇ ଗୁରୁତର

ଝାରସୁଗୁଡା ଅଫିସ୍‌/ ଲଖନପୁର, ୨୪।୪(ଡି.ଏନ୍‌.ଏ)-ଝାରସୁଗୁଡା ଜିଲା ବଡ଼ମାଲ ଥାନା ବୃନ୍ଦାମାଲ ଆର୍‌ଆର୍‌ କଲୋନୀରେ ମଙ୍ଗଳବାର ସକାଳ ସାଢେ ୭ଟାରେ ବଡ଼ଭାଇ ସୁଶିଲ ଧୁରୁଆଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ସୁରେଶ ଧୁରୁଆ(୩୫)ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ପ୍ରଥମେ ଝାରସୁଗୁଡା ଜିଲା ମୁଖ୍ୟଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ମେଡିକାଲ୍‌ ସୂତ୍ରରୁ ଜଣାପଡିଛି। ଖବରପାଇ ବଡମାଲ ଥାନା ଆଇଆଇସି ଅମିତାଭ ପଣ୍ଡାଙ୍କ ସମେତ ଏକ ପୋଲିସ୍‌ ଟିମ୍‌ ଆର୍‌ଆର୍‌ କଲୋନୀରେ ପହଞ୍ଚି ରକ୍ତମୁଖା ବଡଭାଇ ସୁଶିଲଙ୍କୁ ଗିରଫ କରିଛି। ଏହା ସହ ବ୍ୟବହୃତ ରକ୍ତଲଗା ଟାଙ୍ଗିଆକୁ ଜବତ କରିଛି। ପୋଲିସ ଏନେଇ ବଡମାଲ ଥାନାରେ ଏକ ମାମଲା ( ନଂ.୬୪/୨୦୧୯) ରୁଜୁକରି ତଦନ୍ତ ଚଳାଇଛି।