ବଡ଼ମାନଙ୍କ ବାରଣନାମା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ଶିଶୁଟିଏ ଜନ୍ମହୋଇ ତା’ ଟିକି ଟିକି ଆଖିରେ ଏ ଦୁନିଆକୁ ଚିହ୍ନିବା ପରଠାରୁ ଶେଷ ଶଯ୍ୟାରେ ଚିରଦିନ ପାଇଁ ଆଖି ଯୋଡ଼ିକ ବୁଜିଦେବା ଯାଏ ଏକ ବିଚିତ୍ର ବାରଣନାମାର ବଳୟ ଭିତରେ ବନ୍ଦୀ ଥାଏ ତା’ର ବ୍ୟକ୍ତିସତ୍ତା। ମା’ବାପା, ଆତ୍ମୀୟସ୍ବଜନ, ଗୁରୁଗୁରୁଜନ ଆଦି ସମାଜର ଭିନ୍ନ ଭିନ୍ନ ଚରିତ୍ରମାନେ ତା’ ଜୀବନଯାତ୍ରାର ନିର୍ଣ୍ଣାୟକ ହୋଇଉଠନ୍ତି ଭିନ୍ନ ଭିନ୍ନ ସମୟରେ। ‘ଏମିତି କହ ନାହିଁ’, ‘ସେମିତି କର ନାହିଁ’, ‘ଏହା ଦେଖନା’, ‘ତାହା ଶୁଣନା’ ଆଦି ନିଷେଧନାମା ମଧ୍ୟରେ ଭଲମନ୍ଦ ବାରିବାର ତା’ ନିଜସ୍ବ ସାମର୍ଥ୍ୟ ଏମିତି ସଙ୍କୁଚିତ ହୋଇଯାଏ ଯେ ଜଣାଯାଏ ସତେ ଯେମିତି ତା’ ନିଜ ଭିତରୁ ତାକୁ ନିକାଲି ଦେଇ ଆଉ କେହି ଜଣେ ତା’ ଜୀବନକୁ ନିୟନ୍ତ୍ରିତ କରୁଛି। ପ୍ରକୃତରେ ବଡ଼ ବିଚିତ୍ର ଏ ଅସ୍ବସ୍ତିବୋଧ!
ଅବଶ୍ୟ ଯେଉଁମାନେ ବିଜ୍ଞ ଓ ବୟସ୍କ, ଯେଉଁମାନେ ନିଜ ପାଇଁ ନିଷ୍ପତ୍ତି ନେବାର ଅଧିକାର ଆଉ କାହାକୁ ଦିଅନ୍ତି ନାହିଁ, ସେମାନେ ବାରଣର ବଳୟ ଭିତରେ କେବେ ବି ବନ୍ଦୀ ହୁଅନ୍ତି ନାହିଁ। ପୁଣି ଯେଉଁମାନେ ଦୁଃସାହସୀ ଓ ଦୁର୍ଦ୍ଦମନୀୟ, ଯାବତୀୟ ବାରଣ ଭିତରେ ଗତିକରି ସେମାନେ ନିଜ ପାଇଁ ଏକ ସ୍ବତନ୍ତ୍ର ପୁରୁଷାର୍ଥ ପ୍ରତିଷ୍ଠା କରନ୍ତି। ‘ପ୍ରବେଶ ନିଷେଧ’ ଲେଖାଥିବା ଭଳି ନିଷିଦ୍ଧ ଇଲାକା ମଧ୍ୟକୁ ପ୍ରବେଶ ନ କଲା ଯାଏ ଏମାନେ ତୃପ୍ତ ହୁଅନ୍ତି ନାହିଁ। ମାତ୍ର ଶାସ୍ତ୍ରନିର୍ଣ୍ଣୀତ ହେଉ କି ସମାଜନିର୍ଦ୍ଧାରିତ, ଯେକୌଣସି ବାରଣକୁ କେହି ଯଦି ନିଜ ପାଇଁ ବେଦବାକ୍ୟ ବା ବିବେକବାଣୀ ମଣୁଥାନ୍ତି, ତା’ହେଲେ ସେମାନେ ହେଉଛନ୍ତି ଅବୋଧ ଶିଶୁ ବା ଅବଳା ନାରୀ। ସଭ୍ୟତାର ନାନା ବିବର୍ତ୍ତନ ମଧ୍ୟରେ ଆମ ସମାଜ ଯେତେ ଆଧୁନିକ ବୋଲାଇଲେ ବି ଏଇ ଦୁଇ ବର୍ଗର ମଣିଷ ସେମାନଙ୍କ ପ୍ରତିପକ୍ଷ ବୟସ୍କ ଓ ପୁରୁଷମାନଙ୍କ ବିଚାର ନିକଟରେ ତଥାପି ବାଧ୍ୟ ଓ ବିବଶ। ଏ ସଂସାରରେ ଏମିତି ଖୁବ୍‌ କମ୍‌ ପ୍ରହ୍ଲାଦ ଥିବେ, ଯେଉଁମାନେ ସେମାନଙ୍କ ହରିଣ୍ୟକଶିପୁମାନଙ୍କ ବାରଣକୁ ଅବଜ୍ଞା କରି ନିଜ ବିଚାରକୁ ନେଇ ନିଜ ଢଙ୍ଗରେ ଆଗେଇ ଚାଲୁଥିବେ। ପୁଣି ଏମିତି କମ୍‌ ନାରୀ ଥିବେ, ଯେଉଁମାନେ ପୁରୁଷଙ୍କ ଦ୍ୱାରା ଟଣାଯାଇଥିବା ଲକ୍ଷ୍ମଣଗାରକୁ ଟପିବାର ସାହସ ଓ ସାମର୍ଥ୍ୟ ରଖୁଥିବେ। ତେବେ ଆଜିର ଏ ଆଲୋଚନାରେ କେବଳ ଶିଶୁମାନଙ୍କ କଥା।
ଜଣେ ଶିଶୁ ମନସ୍ତତ୍ତ୍ୱବିତ୍‌ଙ୍କ ମତରେ ବ୍ୟକ୍ତିତ୍ୱର ଉତ୍ତମ ବିକାଶ ପାଇଁ ଶୈଶବର ସ୍ବାଧୀନତା ଏକାନ୍ତ ଜରୁରୀ। ବରିଷ୍ଠଙ୍କ ବାରଣ ମଧ୍ୟରେ ନ ବଢ଼ି ଶିଶୁଟିକୁ ତା’ ନିଜ ଅନୁଭବରୁ ଶିକ୍ଷା କରିବାକୁ ଛାଡ଼ିଦିଆଯାଉ। ଗୋଟିଏ ଜଳନ୍ତା ମହମବତି ଆଡକୁ ହାତ ବଢ଼ାଉଥିବା ଶିଶୁଟିକୁ ଆକଟ କରନାହିଁ। ହାତରେ ଚିଆଁ ଲାଗିଲେ ସେ ନିଜେ ଜାଣିବ ନିଆଁ କି ଚିଜ! ସେହିଭଳି ସେକାଳ ଶୈଶବର ପହିଲି ପାଠ ‘ମଧୁବର୍ଣ୍ଣବୋଧ’ରେ ବର୍ଣ୍ଣିତ ‘ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଶ ନ ଯାଅ ଦନାଇ’ ଭଳି ପଂକ୍ତିକୁ ସମାଲୋଚନା କରି ସେ କହନ୍ତି, ”ବର୍ଣ୍ଣବୋଧ ପରି ଶୈଶବର ପ୍ରାଥମିକ ପାଠଶାଳାର ଏଭଳି ବାରଣ ଦନାଇମାନଙ୍କ ଚେତନାରେ ମଇଁଷି ଭଳି ଏକ ଅହିଂସ୍ର ପ୍ରାଣୀଟି ପ୍ରତି ଏମିତି ଭୟ ସଞ୍ଚାର କରିବ ଯେ ସେମାନେ ବଡ଼ ହୋଇ ଭୟାଳୁ ହୋଇଯିବେ।“
ଶିଶୁ ମନସ୍ତତ୍ତ୍ୱର ଏ ପ୍ରକାର ବିଶେଷଣ କେତେଦୂର ଗ୍ରହଣୀୟ, ତାହା ଅବଶ୍ୟ ବିଚାରସାପେକ୍ଷ। ତେବେ ଏ କଥା ସତ୍ୟ ଯେ ଅନୁଭୂତି ଓ ଅନୁଭବରେ ଯେତେ ଅପରିପକ୍ୱ ହେଲେ ବି ଶିଶୁମାନଙ୍କ ଚେତନାରେ ଯେ ଗୋଟିଏ ନିଜସ୍ବ ବିଚାର କ୍ଷେତ୍ର ଥାଏ, ଏ କଥା ବଡ଼ମାନେ ଭୁଲିଯାଇଥାନ୍ତି। ଶିଶୁଟିକୁ ଉପଦେଶାତ୍ମକ ଆଦେଶ ଦେଇ ସେମାନେ ନିଜର ସଂସ୍କାରସିଦ୍ଧ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ବୋଲି ମନେ କରୁଥାନ୍ତି। ନିଜ ଟିକି ବିଚାରରେ ବରିଷ୍ଠଙ୍କ ବିଜ୍ଞ ଉପଦେଶର ଔଚିତ୍ୟବୋଧ ସମ୍ପର୍କରେ ପ୍ରଶ୍ନ କରୁଥିବା ଶିଶୁମାନଙ୍କୁ ସେମାନେ ଦୁଷ୍ଟ, ଉଦ୍ଧତ ବା ଅମାନିଆ ବୋଲି ଆଖ୍ୟା ଦିଅନ୍ତି। ବିଚରା ଶିଶୁଟି! ଅନୁଭବୀ ଶୁଭେଚ୍ଛୁ ବରିଷ୍ଠଙ୍କ ଉପଦେଶରେ ଗଢ଼ା ହୋଇଥିବା ବାରଣର ବଳୟ ଭେଦକରି ସେ ବାହାରକୁ ଯାଇପାରେନା। କାଶା ବିଏଙ୍କା ପରି ଜଳି ଜଳି ଭସ୍ମ ହୋଇଯାଏ ସିନା, ଜାହାଜ ବାହାରକୁ ଆସିବା ପାଇଁ ସେ ସାହସ କରିପାରେନା।
ପ୍ରକୃତରେ କେତେ କରୁଣ ନୁହେଁ ସତେ ଶିଶୁ କାଶା ବିଏଙ୍କାର କାହାଣୀ! ବାପା ତା’ର ଶତ୍ରୁ ସୈନ୍ୟଙ୍କ ଅନୁଧାବନ କରିଯିବା ପୂର୍ବରୁ ଶିଶୁପୁତ୍ରକୁ ତାଗିଦ୍‌ କରି ଦେଇଗଲେ, ”ସାବଧାନ! ମୁଁ ନ ଫେରିବା ଯାଏ ଏଇ ଜାହାଜ ଛାଡ଼ି କୁଆଡ଼େ ଯିବୁନାହିଁ। ଶତ୍ରୁ ହେଉ କି ମିତ୍ର, ଚିହ୍ନା ଅବା ଅଚିହ୍ନା, କାହା କଥାରେ ଏ ସ୍ଥାନରୁ ଟିପେ ବି ହଟିବୁ ନାହିଁ। ମୁଁ ବାହୁଡ଼ି ଆସିବା ଯାଏ ମୋ ଅପେକ୍ଷାରେ ଏଇଠି ବସିଥିବୁ।“
ବାପା ଚାଲିଗଲେ ନିଜ କର୍ତ୍ତବ୍ୟ ସମ୍ପାଦନ କରି। ପିତୃଭକ୍ତ କାଶା ବିଏଙ୍କା ବସିରହିଲା ବାପାଙ୍କ ବାହୁଡ଼ା ବାଟକୁ ଚାହିଁ। ଏମିତି ସମୟରେ ଅଚାନକ ଶତ୍ରୁର କମାଣ ମାଡ଼ରେ ଜାହାଜରେ ନିଆଁ ଲାଗିଗଲା। ନିଜ ପ୍ରାଣ ବଞ୍ଚାଇ ଜାହାଜରୁ ଚାଲିଯିବା ପାଇଁ ବାଳକ କାଶାକୁ ଯଥେଷ୍ଟ ସମୟ ଦେଇଥିଲା ସର୍ବଗ୍ରାସୀ ନିଆଁ। ମାତ୍ର ବାପାଙ୍କ ବାରଣନାମା ମନେପକାଇ ନିଆଁ ଘେରରୁ ଖସିଯିବା ପାଇଁ ସାମାନ୍ୟ ବି ଚେଷ୍ଟା କଲାନାହିଁ ସେ। ଭାବିଲା, ନିଆଁ ତା’ର କିଛି କ୍ଷତି କରିବା ପୂର୍ବରୁ ବାପା ତା’ର ନିଶ୍ଚୟ ଆସି ପହଞ୍ଚିଯିବେ ଓ ତାକୁ ତାଙ୍କ କଥା ମାନି ନିଶ୍ଚଳ ବସିଥିବା ଦେଖି ଭାରି ଖୁସି ହେବେ। ମାତ୍ର ଭାଗ୍ୟର ବିଡ଼ମ୍ବନା! ବାପା ତା’ର ସେତେବେଳକୁ ଶତ୍ରୁ ସୈନ୍ୟଙ୍କ ସହ ମୁକାବିଲା କରି ବୀରଗତି ପ୍ରାପ୍ତ ହୋଇସାରିଥିଲେ। ଏଣେ ବାପାଙ୍କ ଫେରିବା ବାଟକୁ ଚାହିଁ ଚାହିଁ ସମ୍ପୂର୍ଣ୍ଣ ଜଳି ଯାଇଥିଲା ଶିଶୁପୁତ୍ର କାଶା ବିଏଙ୍କା। ନିଆଁ ଘେରରୁ ଆତ୍ମରକ୍ଷା କରିବା ଭଳି ବୟସ ଓ ସାମର୍ଥ୍ୟ ଥିଲା ତା’ର। ଅଥଚ ବାପାଙ୍କ ବାରଣର ବଳୟ ଭିତରେ ବନ୍ଦୀହୋଇ ନ ଥିଲେ ସେ ହୁଏତ ନିଆଁ ଘେରରୁ ମୁକୁଳି ଆସିପାରିଥାନ୍ତା। ଭଲ କରି ଫୁଟିବା ପୂର୍ବରୁ ଛୋଟ କଳିଟି ଅକାଳରେ ଝଡ଼ିଯାଇ ନ ଥାନ୍ତା।
କାଶା ବିଏଙ୍କା ବାରଣ ଭିତରେ ବନ୍ଦୀ ଗୋଟିଏ ବାଳକର ଦୃଷ୍ଟାନ୍ତ ହୋଇ ନ ପାରେ। ଦୃଷ୍ଟାନ୍ତଟି ଗୋଟିଏ ବ୍ୟତିକ୍ରମ ବି ହୋଇପାରେ। ତେବେ ଦୃଷ୍ଟାନ୍ତ ହେଉ କି ବ୍ୟତିକ୍ରମ, ବାପାଙ୍କ ବାରଣକୁ ବେଦବାକ୍ୟ ମାନି ଅକାଳରେ ନିଜ ଜୀବନ ଉଜାଡ଼ି ଦେଉଥିବା ବିଏଙ୍କାମାନେ ପ୍ରକୃତରେ ଜଣେ ଜଣେ ନିର୍ବୋଧ। ଇତିହାସ ଏମାନଙ୍କୁ ‘ପିତୃଭକ୍ତ’, ‘ଭଲପୁଅ’ ଆଦି ଯେତେ ଶ୍ରୁତିମଧୁର ବିଶେଷଣରେ ବିଭୂଷିତ କଲେ ମଧ୍ୟ ଜୀବନବୋଧର ଜୟଗାନ କରୁଥିବା ମାନବ ସଭ୍ୟତା ଏମାନଙ୍କୁ କେବେ ବି ଗୌରବମଣ୍ଡିତ କରିବ ନାହିଁ। ମାତ୍ର ଅନ୍ୟପକ୍ଷରେ ବିଏଙ୍କାମାନଙ୍କ ପ୍ରତିପକ୍ଷ ସେଇ ଅବଜ୍ଞାକାରୀ ପୁଅମାନେ, ଯେଉଁମାନେ ବାପାଙ୍କ ଅନୁଚିତ ବାରଣକୁ ବେଖାତିର କରି ଉଚିତ ପଥରେ ପାଦ ବଢ଼ାନ୍ତି, ସେମାନଙ୍କୁ କ’ଣ ଆମ ସମାଜ ଆଦରରେ କୋଳେଇନିଏ? ସମୟ କ’ଣ ସେମାନଙ୍କୁ ଗୌରବମଣ୍ଡିତ କରେ ସେମାନଙ୍କ ଅମାନ୍ୟକାରୀ ସାହସ ପାଇଁ?
ଅଳ୍ପଦିନ ତଳେ ତାଙ୍କ ବନ୍ଧୁଙ୍କ ନିକଟରେ ଜଣେ ପିତା ନିଜ ପୁଅ ବିରୋଧରେ ବିଷୋଦ୍‌ଗାର କରୁଥିଲେ। କହୁଥିଲେ, ”କେଉଁଠୁ ମୋ କପାଳକୁ ଏ କୁଳାଙ୍ଗାର ପୁଅଟା ଆସିଲା କେଜାଣି, ବାରବର୍ଷ ବୟସରୁ ନିଜକୁ ବିବେକାନନ୍ଦ ମଣୁଛି ଓ ନିଜ ବାପାକୁ ଯାବତୀୟ ନୀତି କଥା ଶୁଣାଉଛି। ଆବଶ୍ୟକ ସ୍ଥଳେ ସତ ନ କହିବାକୁ ଯେତେ ବାରଣ କଲେ ବି ସତକଥା କହି ସେ ସତ୍ୟବାଦୀ ବୋଲାଉଛି ଓ ଘରେ ସମସ୍ତଙ୍କୁ ଅସୁବିଧାରେ ପକାଉଛି। ସେଦିନ ଜଣେ ଅବାଞ୍ଛିତ ଆଗନ୍ତୁକଙ୍କୁ ଦୂରରୁ ଦେଖିପାରି ‘ମୁଁ ଘରେ ନାହିଁ ’ ବୋଲି କହିଦେବାକୁ ତାକୁ କହିଲି ଯେ ‘ମିଛ କହିବା ମହାପାପ’ ବୋଲି କହି ମୋତେ ନୀତିବାଣୀ ଶୁଣାଇଲା। ପୁଣି ଆଉଟ୍‌ ହାଉସ୍‌ରେ ରହୁଥିବା ଆମ ଚାକରାଣୀର ପୁଅ ସାଙ୍ଗରେ ମିଶାମିଶି ନ କରିବାକୁ ତାକୁ ଯେତେ ବାରଣ କଲେ ବି ତା’ରି ସାଙ୍ଗରେ ବେଶି ମିଶୁଛି। ତାଗିଦ୍‌ କଲେ ଓଲଟି ପଚାରୁଛି, ‘ଗରିବ ହେଲେ ବୋଲି ସେମାନେ କ’ଣ ମଣିଷ ନୁହନ୍ତି!“
କାହାରି ପିଠି ଥାପୁଡ଼ାଇ ସାବାସି ଦେବ ଆମ ସମାଜ? ବାଲ୍ୟକାଳରୁ ପୁଅକୁ ଧନୀ-ଗରିବ ମଧ୍ୟରେ ଭେଦଭାବ ଶିକ୍ଷା ଦେଇ, ଯାବତୀୟ ମିଥ୍ୟାଚାର ମଧ୍ୟରେ ତାକୁ ବଡ଼ ମଣିଷ କରି ଗଢ଼ିତୋଳିବାକୁ ଚେଷ୍ଟା କରୁଥିବା କୁଳଉଜ୍ଜ୍ୱଳ ବାପାଙ୍କର ନା ବାପାଙ୍କ ବାରଣ ନ ମାନି ନିଜ ଇଚ୍ଛାରେ ସଦାଚାର ସପକ୍ଷରେ ଦୃଢ଼ ଭାବେ ଛିଡ଼ାହୋଇ ନିଜକୁ ଭଲ ମଣିଷ ଭାବେ ଗଢ଼ିତୋଳିବାକୁ ଯତ୍ନଶୀଳ ହେଉଥିବା କୁଳାଙ୍ଗାର ପୁଅର??
ଅତୀତରେ ଦିନେ ପିତା ହିରଣ୍ୟକଶିପୁର ବାରଣ ନ ମାନି ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲା ଶିଶୁପୁତ୍ର ପ୍ରହ୍ଲାଦ। ଏକ ଦିବ୍ୟ ଆଦର୍ଶବାଦର ଆହ୍ବାନରେ ବଡ଼ ମଣିଷ ନୁହେଁ, ଭଲ ମଣିଷଟିଏ ହେବାକୁ ଆଗ୍ରହ ରଖୁଥିବା ପୁଅଟିକୁ ପ୍ରହ୍ଲାଦ ପରି ନାନା ଦୁର୍ଦ୍ଦଶା ଭୋଗ କରିବାକୁ ପଡୁଥିବ। ବଡ଼ମାନଙ୍କ ଅନୁଚିତ ବାରଣନାମା ନ ମାନିବାର ଔଦ୍ଧତ୍ୟ ପାଇଁ ତାକୁ ବେଶ୍‌ କିଛି ମୂଲ୍ୟ ଦେବାକୁ ହେଉଥିବ। ଏମିତି ଅମାନିଆ ପୁଅକୁ ଜନ୍ମ ଦେଇଥିବାରୁ ତା’ ମା’ବାପା ହୁଏତ କପାଳରେ କର ମାରୁଥିବେ। ସଦାଚାର ସପକ୍ଷରେ ଯାଇ ଅନାଚାରପ୍ରବଣ ବରିଷ୍ଠମାନଙ୍କୁ ଅବଜ୍ଞା କରୁଥିବା ହେତୁ ତାକୁ ନାକ ଟେକୁଥିବେ ତଥାକଥିତ ସଂସ୍କାରବାଦୀ ପ୍ରିୟ ପରିଜନ ବା ଗୁରୁଗୁରୁଜନ। ତଥାପି କେମିତି ଅନୁଚ୍ଚାରିତ ଭାବେ ଖୁସି ହେଉଥିବ ଆମ ସମୟ ଓ ସମାଜ। କାରଣ ଏଭଳି ପୁଅ ଗୋଟିଏ ଅସୁସ୍ଥ ସମାଜର ଆଶା, ଆଶ୍ୱାସନା। ଏକ ଈପ୍‌ସିତ ସମୟର ନୂଆ ଉନ୍ମାଦନା!!

ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri