Categories: ଜାତୀୟ

ବଡ଼ ଘର ବଡ଼ ଗୁମର କଥା: ପଦାରେ ପଡ଼ିଲା ଶାଶୁ-ବୋହୂ କଳି

ପାଟନା,୨୭।୧୨: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରର କଳି ପୁଣି ପଦାକୁ ଆସିଛି। ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ଓ ତାଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ବିଚ୍ଛେଦ ମାମଲାରେ ଏବେ ନୂଆ ମୋଡ଼ ଆସିଛି। ଲାଲୁ ଯାଦବଙ୍କ ସ୍ତ୍ରୀ ରାବ୍ରୀ ଦେବୀ ବୋହୂ ଐଶ୍ୱର୍ଯ୍ୟାଙ୍କ ଲୁଗାପଟା ସମେତ ଆସବାବପତ୍ରକୁ ୨ଟି ଗାଡିରେ ତାଙ୍କ ପିତା ଚନ୍ଦ୍ରିକା ରାୟଙ୍କ ଘରକୁ ପଠାଇଦେଇଛନ୍ତି। ହେଲେ ଉକ୍ତ ଜିନିଷକୁ ଚନ୍ଦ୍ରିକା ନେବାକୁ ମନା କରିଦେବା ସହ ପୋଲିସକୁ ଡାକି ଏହାକୁ ଜବତ କରିବା ପାଇଁ କହିଥିଲେ। ଏହାପରେ ତାଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା। ଅପରପକ୍ଷେ ଏନେଇ ରାବ୍ରୀଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି, ଐଶ୍ୱର୍ଯ୍ୟାଙ୍କ ମା’ ପୂର୍ଣ୍ଣିମାଙ୍କ କହିବା ଅନୁସାରେ ଉକ୍ତ ଜିନିଷକୁ ପଠାଯାଇଥିଲା। ପୂର୍ଣ୍ଣିମା ରାୟ ମହିଳା ହେଲ୍ପଲାଇନ ଜରିଆରେ ଐଶ୍ୱର୍ଯ୍ୟାଙ୍କ ସମସ୍ତ ଜିନିଷକୁ ଦେବା ପାଇଁ ରାବ୍ରୀ ଦେବୀଙ୍କୁ କହିଥିଲେ ବୋଲି ତେଜ ପ୍ରତାପ ପ୍ରକାଶ କରିଛନ୍ତି। ସେ ଏ ସମ୍ପନ୍ଧୀୟ ଏକ ଚିଠି ମଧ୍ୟ ଦେଖାଇଛନ୍ତି। ପୂର୍ବରୁ ଐଶ୍ୱର୍ଯ୍ୟା ଶ୍ୱଶୁରଘର ଲୋକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ।

Share