ବଡ଼ ପରଦାରେ ଦୀପାବଳି

ମୁମ୍ବାଇ: ସବୁ ବଡ ବଡ ପର୍ବକୁ ରୁପେଲି ପରଦାରେ ଦେଖାଇବାକୁ ଚାହିଁଥାଆନ୍ତି ନିର୍ମାତା ନିର୍ଦ୍ଦେଶକ। ସେ ହୋଲି ହେଉ କି ଦୀପାବଳି, ଦଶହରା ହେଉ ଅବା ଗଣେଶ ପୂଜା। ସେମିତି ଦୀପାବଳିକୁ ନେଇ ମଧ୍ୟ ହିନ୍ଦୀ ଚଳଚ୍ଚିତ୍ର ଜଗତ ଦର୍ଶକଙ୍କ ନିକଟତର ହୋଇଛି। କଳାଧଳା ପରଦାରୁ ଆରମ୍ଭ କରି ଏବେକାର ରଙ୍ଗିନ ପରଦା ପର୍ଯ୍ୟନ୍ତ ଦୀପାବଳିକୁ ଏଠି ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଇଛି। ୧୯୫୯ରେ ଆସିଥିବା ଚଳଚ୍ଚିତ୍ର ‘ପୟିଗାମ୍‌’ରେ ଦର୍ଶକ କଳାଧଳା ପରଦାରେ ଦେଖିଥିଲେ ଦୀପାବଳିର ଝଲକ୍‌। ‘କେଶେ ଦିଓ୍ବାଲି ମନାୟେ’ ଗୀତ ମାଧ୍ୟମରେ ନିର୍ମାତା ଦର୍ଶକଙ୍କୁ ଭେଟି ଦେଇଥିଲେ ଦୀପାବଳିର କିଛି ମୁହୂର୍ତ୍ତକୁ। ସେହି ବର୍ଷ ଫିଲ୍ମ ‘ନଜରାନା’ରେ ମଧ୍ୟ ‘ମେଲେ ହେ ଚିରାଗୋ କେ’ ଗୀତଟି ଦୀପାବଳିକୁ ନେଇ ପ୍ରସ୍ତୁତ କରାଯାଇଥିଲା। ୧୯୬୪ରେ ମୁଭି ‘ହକିକତ୍‌’ରେ ମଧ୍ୟ ଦୀପାବଳିକୁ ସ୍ଥାନ ମିଳିଥିଲା। ଏହାପରେ ରଙ୍ଗିନ ଚଳଚ୍ଚିତ୍ରରେ ଦୃଶ୍ୟାୟିତ ହେଲା ଦୀପାବଳି। ୧୯୭୩ରେ ‘ଜୁଗ୍‌ନୁ’ ଚଳଚ୍ଚିତ୍ର ମାଧ୍ୟମରେ ଦିଓ୍ବାଲି ଗୀତରେ ଅଭିନୟ କଲେ ହି ମ୍ୟାନ୍‌ ଧର୍ମେନ୍ଦ୍ର। ୧୯୯୨ରେ ଚଳଚ୍ଚିତ୍ର ‘ଯୋ ଜିତା ଓ୍ବହି ସିକନ୍ଦର’ରେ ‘ସେହେର କି ପରିୟୋଁ’ ଗୀତରେ ଦୀପାବଳିକୁ ସ୍ଥାନିତ କରାଗଲା। ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରିଥିବା ୨୦୦୧ର ଚଳଚ୍ଚିତ୍ର ‘ଆମଦାନି ଆଠାନି ଖର୍ଚ୍ଚା ରୂପୟା’ରେ ‘ଆୟେ ହୋ ଦିଓ୍ବାଲି ଶୁନ ଲୋ ଘରଓ୍ବାଲି’ ଗୀତ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ୨୦୦୦ମସିହାରେ ପରଦାରେ ରାଜ୍‌ କରିଥିବା ଚଳଚ୍ଚିତ୍ର ‘ମୋହବତେ’ରେ ମଧ୍ୟ ‘ପରିୟେଁା ମେ ବନ୍ଧନ ହୈ’ ଗୀତରେ ଦେଖିବାକୁ ମିଳିଥିଲା ଦୀପାବଳିର ଝଲକ୍‌। ସେହିପରି ୨୦୦୧ରେ ପରଦାକୁ ଆସିଥିବା ବିଗ୍‌ ବି ଓ ଜୟା ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର ‘କଭି ଖୁସି କଭି ଗମ୍‌’ରେ ସ୍ଥାନିତ ହୋଇଥିଲା ଏକ ଦିଓ୍ବାଲି ସଙ୍ଗ୍‌। ଏହାର ଟାଇଟଲ ସଙ୍ଗ୍‌ ହିଁ ଦିଓ୍ବାଲି ପର୍ବର ତାତ୍ପର୍ଯ୍ୟକୁ ବଖାଣିଥିଲା। କେବଳ ଏତିକି ନୁହେଁ, ବଲିଉଡର ଆଉ ଏକ ବିଶେଷତ୍ୱ ହେଉଛି ଦିଓ୍ବାଲିକୁ ନଜରରେ ରଖି ଏଠାରେ ନିର୍ମାତା ନିର୍ଦ୍ଦେଶକମାନେ ଦର୍ଶକଙ୍କୁ ଭେଟି ଦିଅନ୍ତି କିଛି ଭିନ୍ନ ସ୍ବାଦର ଚଳଚ୍ଚିତ୍ର।

Share