ବଡ଼ ବିଷମ ସ୍ଥିତି

ରାଧାଶ୍ୟାମ ରାଉଳ

ଭଲ କାମ କରୁଥିଲେ ବି ତାକୁ ଖରାପ କି ମନ୍ଦ କାମ କହିବାକୁ ଆମ ଭିତରୁ କିଛି ବାହାରିବେ। ତେବେ ମନ୍ଦ କହିବା ପଛରେ କୌଣସି ବଳିଷ୍ଠ ଯୁକ୍ତି ନଥାଇ ବି ଭଲକୁ ମନ୍ଦ କହିବାକୁ ସେମାନେ ଆଦୌ ପଛେଇବେ ନାହିଁ। ସମୂହ କଲ୍ୟାଣସାଧନ, ପରୋପକାର, ଜନହିତକର କାମ, ସର୍ବସାଧାରଣ ଓ ଜାତୀୟ ସମ୍ପତ୍ତିର ସୁରକ୍ଷା ଓ ସଂରକ୍ଷଣ, ଦେଶର ନୀତିନିୟମ, ଆଇନକାନୁନ ଓ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ପାଳନ ଓ ସମ୍ମାନ ପ୍ରଦର୍ଶନ, ରାଷ୍ଟ୍ର ବା ଦେଶର ସଂହତି ଓ ସାର୍ବଭୌମତ୍ୱକୁ ସମ୍ମାନ ପ୍ରଦର୍ଶନ, ପାରିବାରିକ, ସାମାଜିକ ଓ ରାଷ୍ଟ୍ରୀୟ ଜୀବନରେ ପରସ୍ପର ମଧ୍ୟରେ ସାହାଯ୍ୟ, ସହଯୋଗ , ସଂପ୍ରୀତି, ସମ୍ପର୍କ, ସଦ୍ଭାବନା ସ୍ଥାପନ ଇତ୍ୟାଦିକୁ ଆମେ ଭଲ କାମ ବୋଲି ନିଶ୍ଚେ କହିବା। ହେଲେ ଆଶ୍ଚର୍ଯ୍ୟ ଓ ଅବସୋସର ବିଷୟ, ଆଜିର ସମୟରେ ସାଧାରଣ ସ୍ଥିତି, ଗତି ଓ ପ୍ରବୃତ୍ତି ସମ୍ପୂର୍ଣ୍ଣ ଅଲଗା। ନିଜ ନିଜର ସ୍ବାର୍ଥସାଧନ, ବ୍ୟକ୍ତିକୈନ୍ଦ୍ରିକ ମାନସିକତାପୋଷଣ, ପରନିନ୍ଦା, ପରପୀଡ଼ନ, ପରଶ୍ରୀକାତରତା, ଅସହିଷ୍ଣୁତା, ଜାତୀୟ ସମ୍ପତ୍ତିକୁ ଜବରଦଖଲ, ଦେଶର ନୀତିନିୟମ ଗଣତାନ୍ତ୍ରିକ ପ୍ରକ୍ରିୟା ଓ ବିଧି ବ୍ୟବସ୍ଥାର ଖୋଲାଖୋଲି ଉଲ୍ଲଂଘନ, ଦୁର୍ନୀତି, ଭ୍ରଷ୍ଟାଚାର, ଅପରାଧ ଭିଆଣ ଇତ୍ୟାଦି ଆଜିର ସମୟରେ ଏକ ରକମର ଚଳଣି ଓ ଫେଶନ ହୋଇଯାଇଛି। ଆମେ ଏସବୁକୁ ମନ୍ଦ କାମ କିମ୍ବା କୁକର୍ମ କହୁଛୁ, ହେଲେ ଅନ୍ୟମାନେ ଏସବୁକୁ ବିନା ପ୍ରତିବାଦରେ ସହୁଛନ୍ତି, ବରଦାସ୍ତ କରୁଛନ୍ତି। ଅନ୍ୟମାନଙ୍କ ମତରେ, ଭଲ କାମ କଲେ ଅପବାଦ, ଭଲ କଥା କହିଲେ ବିପଦ! ତେଣୁ ଭଲ କାମ କରି ଭଲ କଥା କହି ଲାଞ୍ଛିତ, ଅପଦସ୍ଥ, ସମାଲୋଚିତ ହେବା ଅପେକ୍ଷା ଯିଏ ଯାହା କରୁଛି କିମ୍ବା କହୁଛି ତାକୁ ନିରବରେ ସହିଯିବା ବରଂ ଭଲ।
ବାପା, ମାଆ, ଗୁରୁଜନମାନଙ୍କୁ ଭକ୍ତି, ସେବା, ଶୁଶ୍ରୂଷା, ଆଦର ଓ ସମ୍ମାନ କରିବା, ସେମାନଙ୍କର ଆଦେଶ, ଉପଦେଶ, ପରାମର୍ଶକୁ ପାଳନ କରିବା ପ୍ରତ୍ୟେକ ସନ୍ତାନ ସନ୍ତତିଙ୍କର ମହତ୍‌ କର୍ତ୍ତବ୍ୟ ଓ ନୈତିକ ଦାୟିତ୍ୱ। ଏ କର୍ତ୍ତବ୍ୟ ଓ ଦାୟିତ୍ୱକୁ ଅତି ନିଷ୍ଠାର ସହ ମାନିବା ଓ ପାଳନ କରିବା ଉଚିତ୍‌। ହେଲେ ଆଜିର ଯୁବପିଢ଼ି ଏ ଦାୟିତ୍ୱ ଓ କର୍ତ୍ତବ୍ୟକୁ କୋଉ ମାନୁଛନ୍ତି ନା ପାଳୁଛନ୍ତି? ବିନା ହେଲ୍‌ମେଟ କି ସିଟବେଲ୍ଟରେ, ମଦ ପିଇ କି ନିଶାସେବନ କରି ଗାଡ଼ି ଚଳେଇବା, ସର୍ବସାଧାରଣ ସ୍ଥାନରେ ସିଗାରେଟ୍‌ ପିଇବା, ଗୁଟ୍‌ଖା ଚୋବେଇବା କି ଚାକୁଳେଇବା ଆଦି କାର୍ଯ୍ୟକୁ ବେଆଇନ କାର୍ଯ୍ୟ ବୋଲି କୁହାଯାଉଛି। େଏସବୁ କାର୍ଯ୍ୟକୁ ନିଷେଧ ପାଇଁ ଆଇନ ପ୍ରଣୟନ କରାଯାଇଛି। ଆଇନକୁ ଯିଏ ମାନୁନାହିଁ କି ମାନିବ ନାହିଁ ତାଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଉପଯୁକ୍ତ ଦଣ୍ଡବିଧାନ ମଧ୍ୟ ରହିଛି। ହେଲେ ଯେଉଁମାନେ ଆଇନକୁ ମାନୁନାହାନ୍ତି, ଶାସନ ନା ପ୍ରଶାସନ ନା ସରକାରୀ କଟକଣା ସେଇସବୁ ଅମାନିଆମାନଙ୍କୁ କ’ଣ ଜବତ କି ସାବାଡ଼ କରିପାରୁଛି କି?
ଏବେକାର କଥା। ଦିନକୁଦିନ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ଓ ମାତ୍ରାଧିକ ଶବ୍ଦ ପ୍ରଦୂଷଣରେ ରୋକ ଲଗେଇବା ଉଦ୍ଦେଶ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ଦୀପାବଳି ଓ କାଳୀପୂଜାରେ ବାଣ ଫୁଟାଇବା ଓ ଆତସବାଜି ବ୍ୟବହାର କରିବା ଉପରେ କଟକଣା ଜାରି କଲେ। ହେଲେ ଆଶ୍ଚର୍ଯ୍ୟ, ଏ କଟକଣାକୁ ଅମାନ୍ୟ କରି ଅମାନିଆମାନେ ମନଇଚ୍ଛା ବାଣ ଫୁଟାଇ ବାୟୁମଣ୍ଡଳକୁ ଅତ୍ୟଧିକ ବିଷାକ୍ତ ଓ ପ୍ରଦୂଷିତ କରିଦେଲେ। କ୍ଷୋଭ ଓ ପରିତାପର ବିଷୟ, ଜନକଲ୍ୟାଣ ପାଇଁ ଦେଶର ନ୍ୟାୟପାଳିକା ଯେଉଁ କାର୍ଯ୍ୟ ଉପରେ ନିଷେଧାଜ୍ଞା କି କଟକଣା ଜାରି କରୁଛନ୍ତି, ସେସବୁର ପ୍ରୟୋଗ ଓ କାର୍ଯ୍ୟକାରିତାକୁ ନେଇ ଘୋର ସନ୍ଦେହ ଓ ପ୍ରଶ୍ନ ସୃଷ୍ଟି ହେଉଛି। ତେଣୁ ବିରାଟ ବ୍ୟବଧାନ ରହୁଛି, ନ୍ୟାୟାଳୟର ନିଷେଧାଜ୍ଞା ଓ ତା’ର ପ୍ରୟୋଗ ବା କାର୍ଯ୍ୟସମ୍ପାଦନ ଭିତରେ।
ବର୍ତ୍ତମାନର ପରିସ୍ଥିତି ଯାହା, ସାମାଜିକ ବିଧିବ୍ୟବସ୍ଥା, ଚଳଣି, ପରମ୍ପରା, ସଭ୍ୟତା, ସଂସ୍କୃତି, ଆଚାର ବିଚାର, ଦେଶର ଆଇନକାନୁନ, ନ୍ୟାୟିକ କଟକଣାକୁ କେହି ନିଷ୍ଠାର ସହ ମାନୁନାହାନ୍ତି। ଉଦ୍‌ବେଗର ବିଷୟ ହେଲା, ସମ୍ପର୍କ ଦାୟରେ କେହି କାହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ପତ୍ନୀ ମାନୁନାହିଁ ପତିଙ୍କୁ, ପତି ମଧ୍ୟ ମାନୁନାହିଁ ପତ୍ନୀଙ୍କୁ। ପୁଅ ବାପାଙ୍କୁ, ବାପା ପୁଅଙ୍କୁ, ପ୍ରେମିକ ପ୍ରେମିକାଙ୍କୁ, ପ୍ରେମିକା ପ୍ରେମିକଙ୍କୁ, ଗୁରୁ ଶିଷ୍ୟଙ୍କୁ, ଶିଷ୍ୟ ଗୁରୁଙ୍କୁ, ନେତା ଜନତାଙ୍କୁ, ଜନତା ନେତାଙ୍କୁ, ଚାକର ମାଲିକଙ୍କୁ, ମାଲିକ ଚାକରଙ୍କୁ, କର୍ମଚାରୀ କର୍ତ୍ତୃପକ୍ଷଙ୍କୁ, କର୍ତ୍ତୃପକ୍ଷ କର୍ମଚାରୀଙ୍କୁ, ଶ୍ରୋତା ବକ୍ତାଙ୍କୁ, ବକ୍ତା ଶ୍ରୋତାଙ୍କୁ ଏମିତି ଏମିତି କେହି କାହାରିକୁ ମାନୁନାହାନ୍ତି। ଯାହା ଫଳରେ ସମ୍ପର୍କରେ ସୃଷ୍ଟି ହେଉଛି ସଙ୍କଟ, ଆଚାର ବିଚାର ଓ ଭାବର ଆଦାନପ୍ରଦାନରେ ସୃଷ୍ଟି ହେଉଛି ଚରମ ବିଭ୍ରାଟ!
ଗୋଟିଏ ପଟେ ପ୍ରଚଳିତ ବ୍ୟବସ୍ଥା ଓ ଚଳଣିରେ ଦେଖାଦେଉଥିବା ତ୍ରୁଟିବିଚ୍ୟୁତି, ବିଲକ୍ଷଣ, ବ୍ୟତିକ୍ରମରେ ସଂଶୋଧନ ସୁଧାର, ସଂସ୍କାର ଆଣିବା ପାଇଁ ଆଇନ ପ୍ରଣୟନ ଓ ନିଷେଧାଜ୍ଞା ଜାରି ହେଉଥିବା ବେଳେ ଅନ୍ୟପଟେ ଦିନକୁଦିନ ଆମ ସମାଜରେ ଆଇନ ଅମାନ୍ୟକାରୀ ଓ ନିଷେଧାଜ୍ଞା ଉଲ୍ଲଂଘନକାରୀ ଅମାନିଆମାନଙ୍କ ସଂଖ୍ୟା ବଢ଼ିଚାଲିଛି। ଆଜ୍ଞା, ଇଏ ବଡ଼ ବିଷମ ପରିସ୍ଥିତି ନୁହେଁ କି ?
ମୋ: ୯୪୩୭୦୯୦୯୮୫


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri