ବଡ଼ ଭାଇଙ୍କୁ ହତ୍ୟା କରି ବାଡ଼ିରେ ପୋତି ଦେଇଥିଲେ ସାନଭାଇ

ବାଲେଶ୍ୱର ଅଫିସ, ୧୫।୬: ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବାସୁଚକୁରି ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଗ୍ରାମର ଜଣେ ବ୍ୟକ୍ତି ନିଜ ବଡ଼ ଭାଇଙ୍କୁ ପିଟିପିଟି ହତ୍ୟା କରିବା ପରେ ଘର ବାଡ଼ି ପଟେ ମୃତଦେହ ପୋତି ଦେଇଥିଲେ। ମୃତକ ହେଲେ ରୋହିତ ହେମ୍ରମ (୩୦)। ଅଭିଯୁକ୍ତ ସାନ ଭାଇ ହେଲେ ଟିମା ହେମ୍ରମ।
ପ୍ରକାଶ ଯେ, ଗତ ୧୦ ତାରିଖରେ କୌଣସି କଥାକୁ ନେଇ ବଡ଼ ଭାଇ ରୋହିତ ଓ ସାନ ଭାଇ ଟିମାଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଟିମା ରୋହିତଙ୍କୁ ପିଟିପିଟି ମାରି ଦେଇଥିଲେ। ପରେ ତାଙ୍କ ମୃତଦେହକୁ ବାଡ଼ିରେ ପୋତି ଦେଇଥିଲେ। କୌଣସି ସୂତ୍ରରୁ ଖବର ସୋମବାର ପାଇ ପୋଲିସ ଟିମାଙ୍କୁ ତାଙ୍କ ଭାଇ ସମ୍ପର୍କରେ ପଚରାଉଚରା କରିଥିଲା। ସେ ଭାଇଙ୍କୁ ମାରି ପୋତି ଦେଇଥିବା ପୋଲିସ ନିକଟରେ ସ୍ବୀକାର ଥିଲେ। ପରେ ପୋଲିସ ଓ ଏକ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ପୋତା ଯାଇଥିବା ମୃତଦେହକୁ ଉଦ୍ଧାର କରିଛନ୍ତି ।