Categories: ଫୁରସତ

ବଡିବିଲ୍ଡିଂ ମାନିଆ: ବାଇସପ୍‌ରେ ଭର୍ତ୍ତି କରିଦେଲେ ୬ ଲିଟର ଭେସ୍‌ଲିନ୍‌

ମସ୍କୋ: ସମସ୍ତଙ୍କୁ ଲୋଡ଼ା ଆକର୍ଷଣୀୟ ଚେହେରା। ଏଥିପାଇଁ ସୁଠାମ ଶରୀର ଗଠନ ନିଶାରେ ପଡ଼ିଛନ୍ତି ଯୁବପିଢ଼ି। ହେଲେ ପରିଶ୍ରମ ନୁହେଁ, ବରଂ କମ୍‌ଦିନରେ ନିଜର ମାଂସପେଶୀ ସୃଦୃଢ଼ କରିବାକୁ ସହଜ ସୁବିଧା ଉପାୟ ଖୋଜୁଛନ୍ତି ସେମାନେ। ହେଲେ କାର୍ଟୁନ କାରେକ୍ଟର ପୋପେୟାଙ୍କ ଭଳି ରାତାରାତି ବଡି ଗଠନ ନିଶାରେ ବାଇସପ୍‌ରେ ୬ଲିଟର ଭେସ୍‌ଲିନ୍‌ ଭର୍ତ୍ତି କରି ଜୀବନକୁ ବିପଦ ମୁହଁକୁ ଠେଲିଦେଇଛନ୍ତି ଜଣେ ରୁଷୀୟ ଯୁବକ। ଶରୀରରେ ମାତ୍ରାଧିକ ଭେସ୍‌ଲିନ୍‌ ମୃତ୍ୟୁର କାରଣ ହୋଇପାରେ ବୋଲି ଡାକ୍ତର ଚେତାବନୀ ଦେବା ପରେ ବାଧ୍ୟ ହୋଇ ସେ ଅପରେଶନ କରାଇଛନ୍ତି। ତଥାପି ତାଙ୍କ ଅବସ୍ଥା ସଙ୍ଗିନ ରହିଛି। ବାଇସପ୍‌ ପାଇଁ ଏପରି ପାଗଳପଣ କରିଥିବା ଯୁବକ ଜଣକ ହେଲେ ୨୩ବର୍ଷୀୟ କେରିଲ ତେରେଶିନ। କାରିଲ ଜଣେ ମିକ୍ସଡ ମାର୍ଶଲ ଆର୍ଟ (ଏମଏମ୍‌ଏ) ଫାଇଟର। ଏହି ମାର୍ଶଲ ଆର୍ଟରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ପାଇଁ ବଡି ଗଠନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସେ କଡ଼ା ଅଭ୍ୟାସ ଜାରି ରଖିଥିଲେ। ଏହା ସତ୍ତ୍ୱେ ବାଇସପ୍‌ ଗଠନକୁ ନେଇ ସନ୍ତୁଷ୍ଟ ନ ଥିଲେ କାରିଲ। ଏହାପରେ ସେ ବାଇସପ୍‌କୁ ଅସ୍ବାଭାବିକ ଭାବେ ବଢ଼ାଇବା ପାଇଁ ଇଞ୍ଜେକ୍ସନ ସହାୟତାରେ ପେଟ୍ରୋଲିୟମ ଜେଲି (ଭେସ୍‌ଲିନ୍‌) ଭର୍ତ୍ତି କରିଥିଲେ। ଗୋଟିଏ ବାହୁରେ ୩ କେଜି ଲେଖାଏ ଭେସଲିନ୍‌ ଭର୍ତ୍ତି କରିବା ପରେ ତାଙ୍କର ବାଇସପ୍‌ କାର୍ଟୁନ କାରେକ୍ଟର ପୋପେୟାଙ୍କ ଭଳି ଫୁଲିଗଲା ସତ, ହେଲେ ଏହାର ସାଂଘାତିକ କୁପ୍ରଭାବ ପଡ଼ିଲା ତାଙ୍କ ଶରୀର ଉପରେ।
ବାଇସପ୍‌ରୁ ତୁରନ୍ତ ଭେସ୍‌ଲିନ୍‌ ବାହାର କରା ନ ଗଲେ ତେରେଶିନଙ୍କ ମୃତ୍ୟୁ ହୋଇଯିବ ବୋଲି ଚେତାଇଦେଲେ ଡାକ୍ତର। ଏହା କରିବାକୁ ପ୍ରଥମେ ସେ ଅରାଜି ଥିଲେ। ବହୁ ବୁଝାଶୁଝା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ତଥାପି ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ନ ଥିବା ଡାକ୍ତର କହିଛନ୍ତି। ବାଇସପ୍‌ରେ ଭର୍ତ୍ତି ହୋଇଥିବା ଭେସ୍‌ଲିନ ଯୋଗୁ ତାଙ୍କର ଟିସ୍ୟୁ ନଷ୍ଟ ହୋଇଯାଇଛି। ହାତର ବିଭିନ୍ନ ସ୍ଥାନକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଇଛି। ତାଙ୍କୁ ପ୍ରବଳ ଜ୍ୱର ହେଉଛି। ଦିନକୁ ଦିନ ସେ ଦୁର୍ବଳ ହୋଇପଡୁଛନ୍ତି। ଭେସ୍‌ଲିନ ଭଳି ବାହ୍ୟ ବ୍ୟବହୃତ କସ୍‌ମେଟିକ୍‌ ସାମଗ୍ରୀକୁ ଆଭ୍ୟନ୍ତରୀଣ ଅଙ୍ଗରେ ବ୍ୟବହାର କରିବାର ଫଳ ଭୋଗୁଛନ୍ତି ତେରେଶିନ। ସାମୟିକ ଆବେଗରେ ଆସି ଏପରି କାର୍ଯ୍ୟ ନ କରିବାକୁ ଡାକ୍ତରମାନେ ଦେଶର ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି।

Share